୧୧ରେ ଏ ବର୍ଷର ପ୍ରଥମ ବନ୍ୟା ଜଳ ଛାଡ଼ିବ ହୀରାକୁଦ
ଆସନ୍ତା ୧୧ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ହେବ। ୧୧ତାରିଖ ଦିନ ୧୧ଟା ପରେ ଯେକୌଣସି ସମୟରେ ହୀରାକୁଦ ବନ୍ଧର ଗେଟ୍ ଖୋଲାଯିବ। ଉପର ମୁଣ୍ଡରେ ଲଗାତାର ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଲଗାତାର ଭାବେ ବୃଦ୍ଧି ପାଉଥିବାରୁ ହୀରାକୁଦ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆ ଯାଇଥିବା ହୀରାକୁଦ ହେଡ୍ ୱାର୍କସ ଓ ଅତିରିକ୍ତ ସ୍ପିଲ୍ ୱେ’ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିରାକାର ବିଶି ସୂଚନା ଜାରି କରିଛନ୍ତି। ଗେଟ୍ ଖୋଲିବା ପୂର୍ବରୁ ନିୟମ ମୁତାବକ ହୀରାକୁଦ ବନ୍ଧ ପକ୍ଷରୁ ସାଇରନ୍ ବଜାଯିବ। ଏହି ସମୟରେ ମହାନଦୀ ତଳ ମୁଣ୍ଡରେ ନଦୀକୁ ପ୍ରବେଶ ବା ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବାକୁ ସେ ଅନୁରୋଧ କରିଛନ୍ତି। ବନ୍ୟା ଜଳ ନିଷ୍କାସନ ଦ୍ୱାରା ମହାନଦୀ ଓ ତା’ର ଶାଖା ନଦୀର ଜଳସ୍ତର ବୃଦ୍ଧି ପାଇବ। ତେଣୁ ନଦୀକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ମହାନଦୀ ପ୍ରବାହିତ ହେଉଥିବା ତଳମୁଣ୍ଡର ୧୨ଟି ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ ରହିବାକୁ ମଧ୍ୟ ସୂଚନା ଦିଆଯାଇଥିବା ଡ୍ୟାମ କର୍ତ୍ତୃପକ୍ଷ କହିଛନ୍ତି।
Powered by Froala Editor