ଏଲପିଜି ସିଲିଣ୍ଡର ମୂଲ୍ୟ ୫୦ ଟଙ୍କା ବଢ଼ିଲା

ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳକ ୨ ଟଙ୍କା ଲେଖାଏଁ ବୃଦ୍ଧି କରିବା ପରେ ସରକାର ଏବେ ଏଲପିଜି ସିଲିଣ୍ଡର ଦର ମଧ୍ୟ ବୃଦ୍ଧି କରିଛନ୍ତି । ତେବେ ଫରକ ହେଉଛି ଯେ ତେଲଦର ବୃଦ୍ଧିର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ିବ ନାହିଁ, କିନ୍ତୁ ଏଲପିଜି ଦରବୃଦ୍ଧିର ପ୍ରଭାବର ଖାଉଟିଙ୍କ ଉପରେ ପଡ଼ିବ। ଏହି ବର୍ଦ୍ଧିତ ଦର ମଙ୍ଗଳବାରଠାରୁ ଲାଗୁ ହେବ। ଦର ବୃଦ୍ଧି ସହିତ ଉଜ୍ଜଳା ବ୍ୟତୀତ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ୮୦୩ ଟଙ୍କାରୁ ୮୫୩ ଟଙ୍କାକୁ ବୃଦ୍ଧିପାଇବ। ସେହିପରି ଉଜ୍ଜଳା ଯୋଜନାରେ ମିଳୁଥିବା ସିଲିଣ୍ଡର ମୂଲ୍ୟ ୫୦୦ ଟଙ୍କାରୁ ୫୫୦ ଟଙ୍କାକୁ ବୃଦ୍ଧିପାଇବ।
ଅନ୍ୟପକ୍ଷରେ ସାଧାରଣ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ଭୁବନେଶ୍ବର ଏବେ ୮୨୯ ଟଙ୍କା ଥିବାବେଳେ ଦରବୃଦ୍ଧି ପରେ ତାହା ୮୭୯ ଟଙ୍କା ହେବ । ତେବେ ଏହି ଦରବୃଦ୍ଧିର କାରଣ ସମ୍ପର୍କରେ ସରକାର କୌଣସି ସୂଚନା ଦେଇନାହାନ୍ତି ।
ଗତ ସପ୍ତାହରେ ସରକାର ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ୪୧ ଟଙ୍କା ଲେଖାଏଁ ବୃଦ୍ଧି କରିଥିଲେ । ଏହି ଦରବୃଦ୍ଧି ଦ୍ବାରା ହୋଟେଲ, ରେସ୍ତୋରାଁ ଓ ଅନ୍ୟ ଭୋଜନାଳୟମାନେ ପ୍ରଭାବିତ ହୋଇଥିଲେ ।
ସେହିପରି ସୋମବାର କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଉପରେ ଏକ୍ସାଇଜ ଡ୍ୟୁଟି ୨ ଟଙ୍କା ବୃଦ୍ଧି କରିଛନ୍ତି। ତେବେ ଏହା ଖୁଚୁରା ମୂଲ୍ୟକୁ କୌଣସି ପ୍ରଭାବିତ କରିବ ନାହିଁ। ଏନେଇ ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି।
Powered by Froala Editor