ୱାକଫ୍ (ସଂଶୋଧନ) ବିଲ୍କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ସଂସଦର ଉଭୟ ଗୃହରେ ୱାକଫ୍ (ସଂଶୋଧନ) ବିଲ୍ ପାରିତ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ବିଲ୍ଟି ଆଇନରେ ପରିଣତ ହୋଇଛି। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କେବଳ ବିଜ୍ଞପ୍ତି ପ୍ରକାଶ ପାଇବା ବାକି ରହିଛି। ତେବେ ୧୯୯୫ର ଓ୍ବକ୍ଫ ସମ୍ପତ୍ତି ପରିଚାଳନା ଆଇନରେ ସଂଶୋଧନ ପାଇଁ ଅଣାଯାଇଥିବା ଏହି ବିଲ୍କୁ ନେଇ ବିରୋଧୀ ଦଳଗୁଡ଼ିକ ବିରୋଧ କରି ଆସୁଛନ୍ତି।
ଗତ ବୁଧବାର ବିଳମ୍ବିତ ରାତିରେ ଏହି ବିଧେୟକ ସଂସଦର ନିମ୍ନ ସଦନ ଅର୍ଥାତ ଲୋକ ସଭାରେ ପାରିତ ହୋଇଥିଲା। ଦୀର୍ଘ ୮ ଘଣ୍ଟାର ଆଲୋଚନା ପରେ ଭୋଟିଂ ଜରିଆରେ ଶାସକ ଦଳ ଏହାକୁ ପାରିତ କରିଥିଲା। ପରେ ରାଜ୍ୟ ସଭାରେ ବିଲ୍ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା, ଯାହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି।
ପ୍ରକାଶ ଥାଉ କି, କଂଗ୍ରେସ ଏବଂ ଏଆଇଏମ୍ଆଇଏମ୍ ନେତା ଅସାଦୁଦ୍ଦିନ ଓଓ୍ବାଇସି ବିବାଦୀୟ ବିଲ୍କୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିବାବେଳେ ଶନିବାର ଆମ୍ ଆଦ୍ମୀ ପାର୍ଟି (ଆପ୍) ବିଧାୟକ ଅମାନତୁଲ୍ଲା ଖାନ୍ ବିରୋଧ କରି ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେହିପରି ଏନ୍ଜିଓ ଆସୋସିଏଶନ ଫର୍ ଦି ପ୍ରୋଟେକ୍ଶନ ଅଫ୍ ସିଭିଲ୍ ରାଇଟ୍ସ (ଏପିସିଆର୍) ମଧ୍ୟ ବିଲ୍ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରିଛି। ପ୍ରସ୍ତାବିତ ଆଇନ ମୁସଲମାନଙ୍କ ପ୍ରତି ପକ୍ଷପାତ ଏବଂ ସେମାନଙ୍କୁ ଟାର୍ଗେଟ କରାଯାଉଥିବା ବିରୋଧୀ ଅଭିଯୋଗ କରିଛନ୍ତି।
Powered by Froala Editor