ଲିଫ୍ଟ ଖାଲରେ ପଡ଼ି ରାଜସ୍ଥାନୀ ଶ୍ରମିକ ମୃତ

ବଲାଙ୍ଗୀର କଣ୍ଟାବାଞ୍ଜି ସ୍ଥିତ ୩ ନଂ ରୋଡରେ ଅଘଟଣ ଘଟିଛି । ନୂଆ ତିଆରି ଚାଲିଥିବା ଏକ କୋଠାର ଲିଫ୍ଟ ଖାଲରେ ପଡିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତ ଶ୍ରମିକ ହେଲେ ରାଜସ୍ଥାନର ତହସିଲ ରାଜଗଡ଼ ମଲବାସ ଗାଁର ଅନିଲ ସୁଧାର । ଘଟଣା ସ୍ଥଳରେ କଣ୍ଟାବାଞ୍ଜି ଥାନା ଅଧିକାରୀ ସତ୍ୟଜିତ କଣ୍ଡେଲକଲ, ଏଏସାଇ ପ୍ରଦୀପ କୁମାର ଦୁରିଆ ପ୍ରମୁଖ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।
ସୂଚନା ଅନୁସାରେ, କଣ୍ଟାବାଞ୍ଜି ରୋଡ଼ ନମ୍ବର ୩ ହରିଭବନ ସମ୍ମୁଖରେ ରାଜେଶ ଜୈନଙ୍କ ଏକ ନବ ନିର୍ମିତ କୋଠାର ନିର୍ମାଣ କାମ ଚାଲୁଛି । କୋଠାଟି ପ୍ରାୟ ସମ୍ପୂର୍ଣ୍ଣ ହୋଇ ଆସିଥିବା ବେଳେ ଭିତରେ ଫର୍ଣ୍ଣିଚର କାମ ଚାଲୁ ରହିଛି । ରାଜସ୍ଥାନରୁ ଆସି କିଛି ଶ୍ରମିକ ଫର୍ଣ୍ଣିଚର ତିଆରି କାମରେ ନିୟୋଜିତ ଅଛନ୍ତି । ତେବେ ରାତି ସମୟରେ ସମସ୍ତେ ଶ୍ରମିକ ଖାଇ ଶୋଇ ପଡିଥିବା ବେଳେ ଗୁରୁବାର ଅନିଲ ସୁଧାର ଲିଫ୍ଟ ଖାଳରେ ପଡିଥିବା ଅନ୍ୟ ଶ୍ରମିକମାନେ ଦେଖିବାକୁ ପାଇଥିଲା । ଶ୍ରମିକ ମାନେ ତୁରନ୍ତ କଣ୍ଟାବାଞ୍ଜି ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ତାଙ୍କୁ ଆଣିଥିଲେ । ତେବେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଶ୍ରମିକଙ୍କ କହିବା ଅନୁସାରେ, ଅନିଲ ସକାଳୁ ଶୌଚ ହେବାକୁ ତିନି ମହଲା କୋଠାରୁ ତଳକୁ ଆସୁଥିବା ବେଳେ ଲିଫ୍ଟ ଖାଲରେ ପଡିଯାଇଥିବା ସନ୍ଦେହ କରାଯାଉଛି ।
Powered by Froala Editor