ଟିକା କେନ୍ଦ୍ରରେ ଠେଲାପେଲା, ମହିଳାଙ୍କ ପଞ୍ଜରା ଭାଙ୍ଗିଗଲା

ଟିକା ନେବାକୁ ଆସିଥିଲେ ମହିଳା । କିନ୍ତୁ ପଞ୍ଜରା ଭାଙ୍ଗିଗଲା । ଏଭଳି ଅଘଟଣ ଗଞ୍ଜାମ ଜିଲ୍ଲା ପୋଲସରା ରାଣୀପଡା କୋଭିଡ ଟିକାକେନ୍ଦ୍ରରେ ଘଟିଛି । ସୂଚନାଯୋଗ୍ୟ, ଆଜି ସକାଳେ ପୋଲସରା ବ୍ଳକର ରାଣୀପଡ଼ା କଲ୍ୟାଣ ମଣ୍ଡପରେ ଟିକା ଗ୍ରହଣ ଲାଗି ଟିକାକରଣ କେନ୍ଦ୍ରରେ ଲୋକଙ୍କ ଗହଳି ଲାଗିଥିଲା । ଇତି ମଧ୍ୟରେ ଗହଳି ଭିତରେ ଟିକା ନେଵାଲାଗି ଆଗଭର ହେଉଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି ।
ମହିଳା ଜଣଙ୍କ ହେଉଛନ୍ତି ପୋଲସରା ଥାନା ନିକଟ ଲକ୍ଷ୍ମଣପଲି ଗ୍ରାମର ଭାନୁମତି ସାହୁ । ଲୋକଙ୍କ ଠେଲା ଠେଲି ଭିତରେ ମହିଳା ଜଣଙ୍କ ତଳେ ପଡିଯାଇଥିଲେ । ମହିଳା ଜଣକ ତଳେ ପଡିଯିବାପରେ ସମସ୍ତେ ତାଙ୍କ ଉପରେ ଚାଲିଯାଇଥିଲେ । ଯାହାଫଳରେ ଭାନୁମତିଙ୍କ ଛାତିର ପଞ୍ଜରା ହାଡ ଭାଙ୍ଗିଯାଇଥିଲା। ପରିବାର ପକ୍ଷରୁ ଭାନୁମତିଙ୍କୁ ଉଦ୍ଧାର କରାଯାଇ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ୧୦୮ଯୋଗେ ବ୍ରହ୍ମପୁର ପଠାଯାଇଥିଲା। ଘଟଣା ପରେ ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ, ତହସିଲଦାର ପ୍ରଦୀପ କୁମାର ନାୟକ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଶ୍ନ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ବୁଝାସୁଝା କରିଥିଲେ ।
Powered by Froala Editor