ବିଶ୍ଵବିଦ୍ୟାଳୟ ହେଉଛି ଜ୍ଞାନ, ନବ ସୃଜନ ଓ ଦାୟିତ୍ବବାନ ନାଗରିକ ସର୍ଜନାର କେନ୍ଦ୍ର: ରାଜ୍ୟପାଳ
ଭୁବନେଶ୍ବର: ବିକଶିତ ଓଡିଶା, ବିକଶିତ ଭାରତ ଗଠନ ପାଇଁ ବିଶ୍ୱବିଦ୍ୟାଳୟ ହେଉଛି ଭିତ୍ତିଭୂମି ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି କହିଛନ୍ତି। ମଙ୍ଗଳବାର ରାଜଭବନର ନ୍ୟୁ ଅଭିଷେକ ହଲ୍ଠାରେ ଆୟୋଜିତ ରାଜ୍ୟର ବିଶ୍ଵବିଦ୍ୟାଳୟ ସମୁହର କୁଳପତି ସମ୍ମିଳନୀରେ ଉଦ୍ବୋଧନ ଦେଇ ରାଜ୍ୟପାଳ ଏହା କହିଛନ୍ତି। ବିଶ୍ଵବିଦ୍ୟାଳୟଗୁଡିକରେ ଶିକ୍ଷାଗତ ଉତ୍କର୍ଷତା ଏବଂ ଛାତ୍ର କଲ୍ୟାଣର ତତ୍ତ୍ଵାବଧାରକ ଭାବେ ବିଶ୍ଵବିଦ୍ୟାଳୟରେ ସୁରକ୍ଷିତ, ଅନ୍ତର୍ନିବେଶୀ ଓ ଶୃଙ୍ଖଳିତ ପରିବେଶ ସୁନିଶ୍ଚିତ କରିବା ପାଇଁ କୁଳପତିମାନେ କାର୍ଯ୍ୟ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି। ଏହି ସମ୍ମିଳନୀରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଶ୍ଵବିଦ୍ୟାଳୟର କୁଳପତିମାନଙ୍କୁ ଉଦ୍ବୋଧନ ଦେଇ ରାଜ୍ୟପାଳ କହିଛନ୍ତି ଯେ, ବିଶ୍ଵବିଦ୍ୟାଳୟ ହେଉଛି ଜ୍ଞାନ, ନବ ସୃଜନ ଓ ଦାୟିତ୍ବବାନ ନାଗରିକ ସର୍ଜନାର କେନ୍ଦ୍ର।
ରାଜ୍ୟପାଳ କହିଛନ୍ତି, ରାଷ୍ଟ୍ର ଗଠନରେ ଉଚ୍ଚ ଶିକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ। ବିଶ୍ୱବିଦ୍ୟାଳୟର ପୁରୋଧା ଭାବରେ ଶୈକ୍ଷିକ ପରିମଣ୍ଡଳକୁ ରୂପରେଖ ଦେବାରେ, ନବ ସୃଜନକୁ ପ୍ରୋତ୍ସାହିତ କରିବାରେ ଏବଂ ଅନୁଷ୍ଠାନକୁ ଜ୍ଞାନ ଓ ଉତ୍କର୍ଷ କେନ୍ଦ୍ର କରିବାରେ କୁଳପତିମାନଙ୍କର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ। ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ନୂତନ ଶିକ୍ଷାନୀତି-୨୦୨୦ ଲାଗୁ ହୋଇଥିବାରୁ ରାଜ୍ୟପାଳ ସନ୍ତୋଷ ପ୍ରକଟ କରିବା ସହିତ ଏହା ବହୁମୁଖୀ ଶିକ୍ଷା, ଗବେଷଣା, ଦକ୍ଷତା ବିକାଶ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାକୁ ପ୍ରୋତ୍ସାହନ ଯୋଗାଇବ ବୋଲି କହିଥିଲେ। ନୂତନ ଶିକ୍ଷାନୀତିରେ ଅଭିନବ ଶିକ୍ଷା ପଦ୍ଧତିକୁ ଗ୍ରହଣ କରିବା, ଗବେଷଣା ଇକୋସିଷ୍ଟମକୁ ସୁଦୃଢ଼ କରିବା ଏବଂ ବିଭିନ୍ନ ଶିଳ୍ପ ସଂସ୍ଥା ଓ ଅନ୍ତର୍ଜାତୀୟ ଅନୁଷ୍ଠାନ / ପ୍ରତିଷ୍ଠାନ ସହିତ ସମନ୍ବୟ ଓ ସହଯୋଗ ବୃଦ୍ଧିକୁ ଗୁରୁତ୍ବ ଦିଆଯାଇଛି। ଛାତ୍ରଛାତ୍ରୀମାନଙ୍କୁ କେବଳ ନିଯୁକ୍ତି ପାଇଁ ପ୍ରସ୍ତୁତ ନକରି ବିଭିନ୍ନ କ୍ଷେତ୍ରରେ ନେତୃତ୍ବ ନେବା ନିମନ୍ତେ ପ୍ରସ୍ତୁତ କରିବାକୁ ନୂତନ ଶିକ୍ଷାନୀତି ସହାୟକ ହେବ ବୋଲି ରାଜ୍ୟପାଳ କହିଥିଲେ।
Powered by Froala Editor