ସେତୁରୁ ଖସି ପଡ଼ିଲା ଟ୍ରାକ୍ଟର
ଆନନ୍ଦପୁର ଉପଖଣ୍ଡ ବେଲବାହାଳିର ୨୧୫ନଂ ରାଜ୍ୟ ରାଜପଥରେ ଥିବା ପୁରୁଣା କୁସେଇ ସେତୁ ଏବେ ଦୁର୍ଘଟଣା ପ୍ରବଣ ସ୍ଥାନ ପାଲଟିଛି । ପୋଲ ଉପରେ ସୁରକ୍ଷା ବାଡା ଭାଙ୍ଗି ଯିବାରୁ ବହୁ ସମୟରେ ଦୁର୍ଘଟଣା ଘଟୁଛି । ଯଦ୍ୱାରା ଗୋଟିଏ ଗାଡି ଗଲେ ସାଇକେଲ ଏବଂ ବାଇକ୍ ଯିବା କଷ୍ଟକର ହୋଇ ପଡୁଛି ।
ଏହି ଭଙ୍ଗା ପୋଲରେ ସୋମବାର ପୁଣି ଏକ ଦୁର୍ଘଟଣା ଘଟିଛି । ଏକ ଟ୍ରାକ୍ଟର ଏଠାରେ ସୁରକ୍ଷାବାଡରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରାକ୍ଟରଟି କୁସେଇ ସେତୁ ଦେଇ ଯିବା ସମୟରେ ପୋଲ ତଳକୁ ଖସି ପଡ଼ିଥିଲା । ଜୀବନ ବଞ୍ଚାଇବାକୁ ଗାଡି ଛାଡି ଡେଇଁ ପଡିଥିଲେ ଟ୍ରାକ୍ଟର ଡ୍ରାଇଭର । ଗାଡିଟି କୁସେଇ ନଦୀରେ ପଡିଥିବା ବେଳେ ଡ୍ରାଇଭର ଗୁରୁତର ହୋଇ ପୋଲ ତଳେ ପଡ଼ିଥିଲେ ।
ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଆମ୍ବୁଲାନ୍ସ ପହଞ୍ଚି ଡ୍ରାଇଭରଙ୍କୁ ଆନନ୍ଦପୁର ମେଡ଼ିକାଲ ନେଇଥିଲେ । ଦୁର୍ଘଟଣା ଗ୍ରସ୍ତ ଟ୍ରାକ୍ଟର ଘଷିପୁରା ବ୍ଲକ୍ ଶାଳଦେଇ ପଞ୍ଚାୟତ ବ୍ରାମହୁଁଦା ଗ୍ରାମର ରବୀନ୍ଦ୍ର ସେଠୀଙ୍କର ବୋଲି ଜଣାପଡ଼ିଛି । ତାଙ୍କ ପୁଅ ଜୁଳିଆ ସେଠି(୩୫)ମିଲରେ ଧାନ ଅନଲୋଡ୍ ସାରି ଫେରିବା ସମୟରେ ଏଭଳି ଦୁର୍ଘଟଣା ଘଟିଥିଲା । ପରିବାର ଲୋକେ ମେଡ଼ିକାଲକୁ ଯାଇ ଜୁଳିଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ ଗାଡିକୁ ନଦୀଗର୍ଭରୁ ବାହାର କରିଥିବା ଜଣାପଡ଼ିଛି ।
ତେବେ ଏହି ଭଙ୍ଗା ପୋଲ ଦୁର୍ଘଟଣାଗ୍ରସ୍ତ ହୋଇସାରିଥିବାବେଳେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନି । ରାତିରେ ପୋଲରେ ଯିବା କାଠିକର ପାଠ ହୋଇପଡିଛି । ତେଣୁ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।
Powered by Froala Editor