୭ରୁ ୯ ଯାଏ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା
ଭୁବନେଶ୍ୱର : ଜୁଲାଇ ୭ରୁ ୯ ଯାଏଁ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଆଜି କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ବର୍ଷା ହୋଇପାରେ ।
ତେବେ ୭ରୁ ବର୍ଷା ବଢ଼ିବ । ବିଶେଷକରି ଉତ୍ତର ଉପକୂଳ ଓଡ଼ିଶାର ଜିଲ୍ଲା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, କୋରାପୁଟ, ମାଲକାନଗିରି ଓ ଜଗତସିଂହପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷିବ । ସେହିଭଳି ୮ ତାରିଖ ଦିନ ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବରଗଡ଼ ଓ ସମ୍ବଲପୁର ଏବଂ ୯ ତାରିଖ ଦିନ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । କେନ୍ଦ୍ର ଆହୁରି କହିଛି, ୧୦ ତାରିଖରୁ ରାଜ୍ୟରେ ପବନର ଦିଗ ପରିବର୍ତ୍ତନ ହେବ । ଫଳରେ ରାଜ୍ୟରେ ବର୍ଷା ପାଇଁ ଆହୁରି ଅନୁକୂଳ ବାତାବରଣ ସୃଷ୍ଟି ହେବ । ଅନ୍ୟପଟେ ୧୨ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ବର୍ଷାର ପରିମାଣ ବଢ଼ିବ ବୋଲି ଆଶା କରାଯାଉଛି ।
ଜୁନ ୧ରୁ ଜୁଲାଇ ୫ ପର୍ଯ୍ୟନ୍ତ ରାଜ୍ୟରେ ପ୍ରାୟ ୨୨୦.୪ ମିମି ବର୍ଷା ହୋଇଥିବା ବେଳେ ଏହା ସ୍ୱାଭାବିକଠାରୁ ୧୭% କମ ରହିଛି । ଏହି ସମୟ ମଧ୍ୟରେ ରାଜ୍ୟରେ ସ୍ୱାଭାବିକ ଭାବେ ୨୬୫.୪ ମିମି ବର୍ଷା ହୋଇଥାଏ । ଏ ପର୍ଯ୍ୟନ୍ତ ରାଜ୍ୟର ୧୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୧୪ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ଏଥିସହ କୋରାପୁଟ ଓ ନୂଆପଡ଼ା ଆଦି ୨ଟି ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି ।
Powered by Froala Editor