ଦୈନିକ ୧୦ମିନିଟ୍ ଖବରକାଗଜ ପଢିବେ ଛାତ୍ରଛାତ୍ରୀ
ଲକ୍ଷ୍ନୌ : ଉତ୍ତରପ୍ରଦେଶର ସମସ୍ତ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଖବରକାଗଜ ପଠନକୁ ବାଧ୍ୟତାମୂଳକ କରାଯାଇଛି। ପିଲାମାନେ ଦୈନିକ ପ୍ରାର୍ଥନା କ୍ଳାସ ସମୟରେ ୧୦ମିନିଟ୍ ଲେଖାଏଁ ଉଭୟ ଇଂରାଜୀ ଓ ହିନ୍ଦୀ ଖବରକାଗଜ ପଢିବେ। ଏପରି କି ପିଲାମାନେ ଡିଜିଟାଲରେ ଉପଲବ୍ଧ ଇ-ପେପର ପରିବର୍ତ୍ତେ ପ୍ରତ୍ୟକ୍ଷ (ଫିଜିକାଲ) ଉପଲବ୍ଧ ଛାପା ଖବରକାଗଜ ପଢିବେ। ଏଥିପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ସମୟ ନିର୍ଘଣ୍ଟ ଧାର୍ୟ୍ୟ କରିବେ। ପିଲାମାନଙ୍କ ଖବରକାଗଜ ପଠନକୁ ନିଶ୍ଚିତ କରିବା ଲାଗି ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ସଚିବ (ବେସିକ୍ ଓ ସେକେଣ୍ଡାରୀ ଶିକ୍ଷା) ପାର୍ଥ ସାରଥି ଶର୍ମା ସମସ୍ତ ବିଦ୍ୟାଳୟକୁ ନିର୍ଦେଶନାମା ଜାରି କରିଛନ୍ତି।
ଏହାଦ୍ବାରା ପିଲାମାନଙ୍କ ପଠନ ଅଭ୍ୟାସ ବୃଦ୍ଧି ହେବ। ପିଲାମାନେ ମୋବାଇଲ, ଟିଭି ଆଦି ଦେଖିବାରୁ ଦୂରେଇ ରହି ପଢାପଢି ଉପରେ ଅଧିକ ମନୋନିବେଶ କରିବେ। ଅନ୍ୟପଟେ ପଠନ ଅଭ୍ୟାସ ଦ୍ବାରା ପିଲାମାନଙ୍କ ଚିନ୍ତାଶକ୍ତି, ବିଚାରଶକ୍ତି ଓ ବୁଦ୍ଧିମତ୍ତାରେ ବିକାଶ ହେବ। ଡିସେମ୍ବର ୨୩ରେ ଜାରି ହୋଇଥିବା ଏହି ନିର୍ଦେଶ ଅନୁଯାୟୀ ପ୍ରାର୍ଥନା କ୍ଲାସରେ ସମ୍ପାଦକୀୟ ପୃଷ୍ଠାର ମୁଖ୍ୟ ପଏଣ୍ଟ ସହିତ ପ୍ରମୁଖ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡା ଓ ବିଭିନ୍ନ ସକାରାତ୍ମକ ଖବରକୁ ପଠନ କରାଯିବ। ସମସାମୟିକ ଘଟଣାଗୁଡିକ ବିଷୟରେ ପିଲାମାନେ ଜାଣିବା ଦ୍ବାରା ସେମାନଙ୍କ ସାଧାରଣ ଜ୍ଞାନର ବିକାଶ ହୋଇପାରିବ।
ସରକାରୀ ସ୍କୁଲଗୁଡିକ ନିମନ୍ତେ ଜାରି ଏହି ନିର୍ଦେଶକୁ ଅନ୍ୟ ଘରୋଇ ସ୍କୁଲକୁ ମଧ୍ୟ ଅନୁସରଣ କରିବାକୁ କୁହାଯାଇଛି।
Powered by Froala Editor