ଦୂତି ଚାନ୍ଦ ପାଇବେ ‘ଛତିଶଗଡ଼ ବୀର୍ନି ପୁରସ୍କାର’
ଭୁବନେଶ୍ୱର: କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅଲିମ୍ପିଆନ ଦୂତି ଚାନ୍ଦ ପାଇବେ ‘ଛତିଶଗଡ଼ ବୀର୍ନି ପୁରସ୍କାର’ । ଏ ବିଷୟରେ ଛତିଶଗଡ଼ ସରକାରଙ୍କ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।
ଚଳିତ ବର୍ଷ ଠାରୁ କ୍ରୀଡ଼ା ଓ ଅନ୍ୟାନ୍ୟ କ୍ଷେତ୍ରରେ ସଫଳତା ହାସଲ କରିଥିବା ଶ୍ରେଷ୍ଠ ଭାରତୀୟ ମହିଳାଙ୍କୁ ‘ଛତିଶଗଡ଼ ବୀର୍ନି ପୁରସ୍କାର’ ପ୍ରଦାନ କରାଯିବ । ଚଳିତ ବର୍ଷ ଦୂତି ଚାନ୍ଦଙ୍କୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଛି ।ମହିଳା ୧୦୦ ମିଟର ଦୌଡ଼ରେ ଦୂତିଙ୍କ (୧୧.୨୨ ସେକେଣ୍ଡ) ନାମରେ ଜାତୀୟ ରେକର୍ଡ ରହିଛି । ୨୦୧୯ ମସିହାରେ ସେ ଦେଶର ପ୍ରଥମ ମହିଳା ଭାବେ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ୧୦୦ ମିଟରରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେହିପରି ସେ ଗତ ଏସୀୟ କ୍ରୀଡ଼ାର ଉଭୟ ୧୦୦ ଓ ୨୦୦ ମିଟରରେ ରୌପ୍ୟ ପଦକ ଜିତି ଦେଶର ଗୌରବ ବଢ଼ାଇଥିଲେ । କରୋନା ସଂକ୍ରମଣ ଯୋଗୁ ଭର୍ଚୁଆଲରେ ପୁରସ୍କାର ପ୍ରଦାନ ଉତ୍ସବ ଆୟୋଜିତ ହେବ । ଆସନ୍ତା ୧୪ ତାରିଖରେ ଦୂତି ପୁରସ୍କୃତ ହେବେ ।