କ୍ରିକେଟ ମ୍ୟାଚ:ଟ୍ରାଫିକ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି

କଟକ: କ୍ରିକେଟ ମ୍ୟାଚ ପାଇଁ ଯେପରି କୌଣସି ଟ୍ରାଫିକ୍ ସମସ୍ୟା ନହୁଏ ସେଥିପାଇଁ କଟକ ଟ୍ରାଫିକ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି । ଶନିବାର ନେଟ୍ ପ୍ରାକ୍ଟିସ୍ ପାଇଁ ଦିନ ୧ଟାରୁ ରାତି ୯ଟା ଏବଂ ରବିବାର ସକାଳ ୮ଟାରୁ ଭିଡ ଭାଙ୍ଗିବା ପର୍ୟ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ।
କଟକଣା ଅନୁସାରେ, ମାତାମଠ ପଟୁ ରିଂରୋଡରେ ଆସୁଥିବା ଗାଡ଼ିଗୁଡିକ ବାଲିଯାତ୍ରା ତଳ ପଡିଆରେ ପାର୍କିଂ କରିବେ । ହାୱାଡାମୋଟର୍ସ ଛକ ଓ ମଣିସାହୁ ଛକ ପଟୁ ଆସୁଥିବା ଗାଡ଼ିଗୁଡିକ ଲ' ହଷ୍ଟେଲ ଛକରୁ ରିଂରୋଡକୁ ଯାଇ ତଳ ବାଲିଯାତ୍ରା ପଡିଆରେ ରଖିବେ । ବିଜୁ ପଟ୍ଟନାୟକ ଛକ ଓ ମଧୁସୂଦନ ଛକ ପଟୁ ଆସୁଥିବା ଗାଡି ଆନନ୍ଦଭବନ ଛକରୁ ସିଧା କିଲ୍ଲା ପଡିଆ ଆଡକୁ ଯାଇପାରିବ ନାହିଁ । ଏହି ଗାଡ଼ିଗୁଡିକ ଖ୍ରୀଷ୍ଟିୟାନ ପଡ଼ିଆରେ ରହିବ । ହରିଣ ପାର୍କ ଏବଂ ମଧୁସୂଦନ ନଗର ଆଡୁ ରିଂରୋଡରେ ଆସୁଥିବା ଗାଡ଼ିଗୁଡିକ କାର୍ତ୍ତିକେଶ୍ୱର ଗଡାରେ ବାମକୁ ଗଡି ପାର୍କିଂସ୍ଥଳକୁ ଯିବେ । ସମାଜ ଅଫିସ ଛକ ଆଡୁ ଆସୁଥିବା ଗାଡ଼ିଗୁଡିକୁ ହନୁମାନ ମନ୍ଦିର ଆଡକୁ ନଯାଇ ଚଣ୍ଡୀଛକ ହୋଇ ଖ୍ରୀଷ୍ଟିଆନ ପଡ଼ିଆକୁ ଯିବେ । କେବଳ ଓସିଏ ପାସ୍ଧାରୀ ଗାଡ଼ି ଷ୍ଟାଡିୟମର ୧ ନମ୍ବର ଗେଟ ଦେଇ ଓସିଏ ପାର୍କିଂସ୍ଥାନକୁ ଯିବେ । ମଧୁସୂଦନ ପ୍ରତିମୂର୍ତ୍ତି ଛକରୁ କୌଣସି ଗାଡ଼ି ଷ୍ଟାଡିୟମ ଆଡକୁ ଯାଇପାରିବ ନାହିଁ । ଲାୟନ୍ସ ଚକ୍ଷୁ ହସ୍ପିଟାଲ ଛକରୁ କିଲ୍ଖାନା ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିବ । ସେହି ରାସ୍ତାରେ ଆସୁଥିବା ଗାଡ଼ିଗୁଡିକ କଳାବିକାଶ କେନ୍ଦ୍ର ଦେଇ ପାର୍କିଂସ୍ଥଳକୁ ଯିବ । ତେବେ ମ୍ୟାଚ୍ ଦିନ ଅର୍ଥାତ ରବିବାର ସକାଳ ୮ଟାରୁ ରାତି ୨ଟା ପର୍ୟ୍ୟନ୍ତ ମହାନଦୀ ଓ କାଠଯୋଡି ରିଂବନ୍ଧରେ କୌଣସି ଭାରୀଯାନ ଚଳାଚଳ କରିପାରିବ ୟନାହିଁ । ସେହିପରି ଶନିବାର ନେଟ୍ ଅଭ୍ୟାସ ପାଇଁ ରିଂରୋଡର ଚହଟା ଛକ ଓ ଶିଖରପୁର ଛକରୁ ବାଉଁଶ ଗଡା ପର୍ୟ୍ୟନ୍ତ ଦିନ ୧ଟାରୁ ରାତି ୯ଟା ପର୍ୟ୍ୟନ୍ତ କୌଣସି ଭାରୀଯାନ ଚଳାଚଳ କରିବ ନାହିଁ ବୋଲି କଟକଣା ଜାରି କରାଯାଇଛି
Powered by Froala Editor