ପୂର୍ବତନ ପୋଲିସ୍ ଡିଜି ପ୍ରକାଶ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା
ପୂର୍ବତନ ପୋଲିସ୍ ଡିଜି ପ୍ରକାଶ ମିଶ୍ର ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି। ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ହେବା ପରେ ପ୍ରକାଶ ମିଶ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଗୁରୁଦାୟିତ୍ୱ ମିଳିଛି, ସୁଚାରୁ ରୂପେ ତୁଲାଇବି। ଜନହିତରେ ଯାହା ହୋଇପାରିବ ମିଳିମିଶି କରିବୁ। ଲୋକଙ୍କ ସମସ୍ୟା କିପରି ଦୂର ହେବ ଧ୍ୟାନ ଦେବୁ ବୋଲି ପ୍ରକାଶ ମିଶ୍ର କହିଛନ୍ତି।
୧୯୭୭ ବ୍ୟାଚର ଆଇପିଏସ୍ ଅଫିସର ଶ୍ରୀ ମିଶ୍ର ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ଓଡ଼ିଶା ପୋଲିସ୍ ଡିଜି ହୋଇଥିଲେ। ପରବର୍ତ୍ତୀ ସମୟରେ ସେ କେନ୍ଦ୍ରକୁ ଯାଇଥିଲେ। ଆଉ ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ୍ ଫୋର୍ସ(CRPF)ର ଡିଜି ହୋଇଥିଲେ। ସେ ୨୦୧୪ରୁ ୨୦୧୬ ମସିହା ପର୍ଯ୍ୟନ୍ତ ରହିଥିଲେ। ତା’ପରେ ଚାକିରିରୁ ଅବସର ନେଇଥିଲେ।
ଚାକିରିରୁ ଅବସର ନେବା ପରେ ଶ୍ରୀ ମିଶ୍ର ବିଜେପିରେ ଯୋଗଦେଇଥିଲେ। ଆଉ ୨୦୧୯ ସାଧାରଣ ନିର୍ବାଚନରେ କଟକ ଲୋକସଭା ଆସନରୁ ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ମାତ୍ର ନିର୍ବାଚନରେ ପରାଜୟ ବରଣ କରିଥିଲେ।
ନିକଟରେ ପୂର୍ବତନ ପୋଲିସ ଡିଜି ତଥା ଭାଜପା ନେତା ପ୍ରକାଶ ମିଶ୍ରଙ୍କ ବହି ‘କମେଡି ଇନ ଖାକି’ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଥିଲା। ଏହି ବହି ଜରିଆରେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଷୟରେ ବହୁ ତଥ୍ୟ ପଦାକୁ ଆଣିଥିଲେ। ପ୍ରକାଶ ମିଶ୍ର ନାଁ ନ ନେଇ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତିକୁ ଚର୍ଚ୍ଚାର ଖୋରାକ ଯୋଗାଇଥିଲା।
Powered by Froala Editor