ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୭୬ ମୃତ

ଇସ୍ତାନବୁଲ: ତୁର୍କୀର ଏକ ପାହାଡ଼ ଉପରେ ଥିବା ୧୨ ମହଲା ବିଶିଷ୍ଟ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୭୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ଦେଶର ଅନ୍ତରୀଣ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଏ ପର୍ୟ୍ୟନ୍ତ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ। ପୁଲିସ ଏବଂ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ କରୁଛନ୍ତି। ରାଜଧାନୀ ଅଙ୍କାରାଠୁ ୧୭୦ କିମି ଦୂର ‘କରତକାଲା ରିସୋର୍ଟ’ରେ ଥିବା ଏହି ହୋଟେଲ ‘ଗ୍ରାଣ୍ଡ କାର୍ଟାଲ’ରେ କାଠର ଆବରଣ ଦିଆଯାଇଥିଲା। ଅଧିକାଂଶ ଉପକରଣ ମଧ୍ୟ କାଠରେ ପ୍ରସ୍ତୁତ ହୋଇଥିଲା। ତେଣୁ ରେସ୍ତୋରାଁରୁ ନିଆଁ ଲାଗିବା ପରେ ଏହା ଦ୍ରୁତଗତିରେ ବ୍ୟାପି ଯାଇଥିଲା। ଏଠାରେ ସୁରକ୍ଷା ମାନଦଣ୍ଡ ମଧ୍ୟ ପାଳନ କରାଯାଇ ନ ଥିଲା। ନିଆଁ ଲାଗିବା ପରେ ଆଲାର୍ମ ବାଜି ନ ଥିଲା। ଜରୁରୀକାଳୀନ ପାହାଚ ସହିତ ନିଆଁ ଲିଭାଇବା ପାଇଁ ଆବଶ୍ୟକ ଉପକରଣ ମଧ୍ୟ ନ ଥିଲା।
ଦୁଇ ସପ୍ତାହ ହେଲା ସ୍କୁଲ ଛୁଟିଥିବାରୁ ହୋଟେଲରେ ପ୍ରାୟ ୨୩୮ ଅତିଥି ଥିଲେ। ନିଆଁ ଦେଖିବା ପରେ ସେମାନେ ଜୀବନ ବିକଳରେ ଦୌଡ଼ିବାରେ ଲାଗିଥିଲେ। ମାତ୍ର ଝରକା କାଚରେ ନିବୁଜ ହୋଇଥିବାରୁ ବାହାରିବାକୁ ରାସ୍ତା ପାଇ ନ ଥିଲେ। ତେଣୁ ଶ୍ବାସରୁଦ୍ଧ ହୋଇ ଅନେକଙ୍କ ଜୀବନ ଯାଇଥିଲା। ଅନ୍ୟମାନେ ଦଉଡ଼ି ଏବଂ ବେଡ୍ସିଟ୍ ମାଧ୍ୟମରେ ତଳକୁ ଓହ୍ଲାଇ ଜୀବନ ବଞ୍ଚାଇ ଥିଲେ। କିଛି ବ୍ୟକ୍ତି ଜୀବନ ବିକଳରେ ଛାତ ଏବଂ ଝରକାରୁ ତଳକୁ ଡେଇଁ ପ୍ରାଣ ହରାଇଥିଲେ। ହୋଟେଲଟି ଏକ ଚଟାଣ ଉପରେ ଥିବାରୁ ଉଦ୍ଧାରକାର୍ୟ୍ୟରେ କଡ଼ା ଆହ୍ବାନ ସୃଷ୍ଟି ହୋଇଥିଲା। ଟିକେ ବ୍ୟତିକ୍ରମ ହେଲେ ଏହା ପଛରେ ଥିବା ଗଭୀର ଖାଇକୁ ଖସିବାର ସମ୍ଭାବନା ଥିଲା। ତୁର୍କୀ ରାଷ୍ଟ୍ରପତି ରିସିପ ତାଇପେ ଏର୍ଦୋଗାନ ଏହି ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି।
Powered by Froala Editor