୧୩ ରୁ ଆରମ୍ଭ ହେବ ସପ୍ତଦଶ ବିଧାନସଭା ବଜେଟ୍ ଅଧିବେଶନ
ଭୁବନେଶ୍ୱର: ଫେବୃୟାରୀ ୧୩ ତାରିଖରୁ ଆରମ୍ଭ ହେବ ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣରୁ ବଜେଟ୍ ଅଧିବେଶନ ଆରମ୍ଭ ହେବ । ଫେବୃୟାରୀ ୧୭ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ ହେବ । ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ୨୮ଦିନ ଚାଲିବ । ଫେବ୍ରୁଆରି ୧୩ରୁ ୨୧ ଯାଏଁ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବାକୁ ଥିବାବେଳେ ଫେବ୍ରୁଆରି ୨୨ରୁ ମାର୍ଚ୍ଚ ୬ତାରିଖ ଯାଏଁ ଅଧିବେଶନ ବନ୍ଦ ରହିବ । ମାର୍ଚ୍ଚ ୭ ତାରିଖ ଠାରୁ ଏପ୍ରିଲ ୫ ପର୍ଯ୍ୟନ୍ତ ୨ୟ ପର୍ଯ୍ୟାୟରେ ଅଧିବେଶନ ଜାରି ରହିବ ।
ବିଧାନସଭା ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଆସନ୍ତା ଫେବୃୟାରୀ ୧୩ତାରିଖରୁ ଆରମ୍ଭ ହେବ । ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୧୩ରୁ ୨୧ତାରିଖ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ୭ରୁ ଏପ୍ରିଲ ୫ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନରେ ରାଜ୍ୟପାଳ ଡଃ ହରିବାବୁ କମ୍ଭମପତିଙ୍କ ଅଭିଭାଷଣର କାର୍ଯ୍ୟକ୍ରମ ରହିଛି । ଫେବୃୟାରୀ ୧୪ ଓ ୧୫ତାରିଖ ଦୁଇଦିନ ଧରି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ । ୧୬ତାରିଖ ରବିବାର ଛୁଟି ଥିବାବେଳେ ୧୭ରେ ୨୦୨୫-୨୬ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ ହେବ । ଅର୍ଥ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିବେ । ୧୮ରେ ସରକାରୀ କାର୍ଯ୍ୟଦିବସ ଥିବାବେଳେ ୧୯ରେ ପ୍ରାଇଭେଟ୍ ମେମ୍ବର୍ସ ବିଜିନେସ୍ ଏବଂ ୨୦ ଓ ୨୧ରେ ବଜେଟ୍ ଉପରେ ସାଧାରଣ ଆଲୋଚନା ଆରମ୍ଭ ହେବ । ୨୨ରୁ ମାର୍ଚ୍ଚ ୬ତାରିଖ ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ବନ୍ଦ ରହିବ ।
ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଗୃହ କାର୍ଯ୍ୟ ମାର୍ଚ୍ଚ ୭ତାରିଖରୁ ଆରମ୍ଭ ହେବ । ବିଭାଗୀୟ ଷ୍ଟାଣ୍ଡିଂ କମିଟି ରିପୋର୍ଟମାନ ଗୃହରେ ଆଗତ ହେବ । ତା’ପରେ ମାର୍ଚ୍ଚ ୧୦ରୁ ବିଭାଗୱାରି ଅନୁଦାନ ଦାବି ଉପରେ ଆଲୋଚନା ଓ ମାର୍ଚ୍ଚ ୨୯ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ଆସିବ ବୋଲି ବିଜ୍ଞପ୍ତିରୁ ଜଣାପଡିଛି ।
ଆର୍ଥିକ ବର୍ଷ ୨୦୨୪-୨୫ ସରିସରି ଆସୁଥିବା ବେଳେ ଆଗାମୀ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ରାଜ୍ୟର ବିକାଶ ପାଇଁ କେଉଁ ବିଭାଗକୁ କେତେ ଟଙ୍କା ଦେବେ ଏ ନେଇ ସରକାରଙ୍କ ଅର୍ଥ ବିଭାଗ ଜନସାଧାରଣଙ୍କଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ଓ ସଂସ୍ଥାଠୁ ମତାମତ ଲୋଡିଥିଲା । ବଜେଟ୍ କିଭଳି ହେବା ଦରକାର ସର୍ବସାଧାରଣ ମତାମତ ଦେଇଥିଲେ ।
Powered by Froala Editor