୩୧ରୁ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ

ଆସନ୍ତା ୩୧ରୁ ପାର୍ଲାମେଣ୍ଟ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇ ଫେବୃଆରୀ ୧୩ ପର୍ଯ୍ୟନ୍ତ ଚାଲିପାରେ। ସଂସଦ ବଜେଟ ଅଧିବେଶନର ପ୍ରଥମ ଦିନରେ ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଉଭୟ ଗୃହରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ ଏବଂ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ସହ ପ୍ରଥମ ପର୍ଯ୍ୟାୟ ଶେଷ ହେବ। ଏହାପରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ। ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଲୋକ ସଭାରେ କ୍ରମାଗତ ଅଷ୍ଟମଥର ପାଇଁ ବଜେଟ ଉପସ୍ଥାପନ କରିବେ।
ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହୋଇ ଏପ୍ରିଲ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି। ସମ୍ଭବତଃ ଦ୍ଵିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ମାର୍ଚ୍ଚ ୧୦ରେ ଆରମ୍ଭ ହେବ। ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଦିଲ୍ଲୀ ଭୋଟ ଦିନ ବଜେଟ ଅଧିବେଶନ ଚାଲିବ ନାହିଁ।
ଏହା ପୂର୍ବରୁ ଶୀତକାଳୀନ ଅଧିବେଶନରେ ବିରୋଧୀଙ୍କ ପକ୍ଷରୁ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଥିଲା। ପୁରା ଶୀତ ଅଧିବେଶନ ଫିକା ପଡିଥିଲା। ଶୀତ ଅଧିବେଶନର ୨୬ଟି କାର୍ଯ୍ୟ ଦିବସରେ ଲୋକସଭାର ୨୦ଟି ବୈଠକ ଏବଂ ରାଜ୍ୟସଭାର ୧୯ଟି ବୈଠକ ହୋଇଥିଲା। ଲୋକସଭାରେ ୫ ବିଧେୟକ ଆଗତ ହୋଇଥିଲା। ୪ ବିଲ ଲୋକସଭାରେ ପାରିତ ହୋଇଥିବାବେଳେ ୩ ବିଲ ରାଜ୍ୟସଭାରେ ପାରିତ ହୋଇଥିଲା।
Powered by Froala Editor