ଅମାନିଆଙ୍କୁ ସାବାଡ଼ କରୁଛି ପୁଲିସ, ୨୪ ଘଣ୍ଟାରେ ଆଦାୟ ହୋଇଛି ୨୭ ଲକ୍ଷ

ଭୁବନେଶ୍ୱର : କୋଭିଡ ନିୟମ ଉଲ୍ଲଂଘନ ନେଇ ଅମାନିଆଙ୍କୁ ଏବେ ସାବାଡ଼ କରୁଛି ପୁଲିସ । ଉଲ୍ଲଂଘନକାରୀଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ କରାଯାଉଛି । ଏହାରି ଭିତରେ ପୁଣି ୨୪ ଘଣ୍ଟାରେ ୨୭ ଲକ୍ଷ ୧୮ ହଜାର ଜୋରିମାନା ଆଦାୟ କରାଯାଇଛି । କରୋନା କଟକଣା ଉଲ୍ଲଂଘନ ଅଭିଯୋଗରେ ଜୋରିମାନା ଆଦାୟ କରାଯାଇଛି । ୯ ତାରିଖ ସକାଳ ଠାରୁ ୧୦ ତାରିଖ ସକାଳ ମଧ୍ୟରେ ଏହି ଜୋରିମାନା ଆଦାୟ କରାଯାଇଛି । ଏଥିସହ ୩ଟି ମାମଲା ରୁଜୁ କରାଯିବା ସହ ୧୫ ଜଣଙ୍କୁ ଗିରଫ କରାଯାଇଛି । ସେହିପରି ମୋଟ ୭୪୯ ଗାଡ଼ି ଜବତ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରକାଶ ଯେ, କରୋନା ସଂକ୍ରମଣର ଦ୍ୱିତୀୟ ଲହର ଏବେ ସମସ୍ତଙ୍କ ଟେନସନ ବଢ଼ାଇଦେଇଛି । ଲୋକମାନେ ମାସ୍କ ପିନ୍ଧୁନଥିବାବେଳେ ସାମାଜିକ ଦୂରତା ମଧ୍ୟ ରଖୁନାହାନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଧଶ କ୍ରମେ ୧୦ଦିନିଆ ସ୍ପେଶିଆଲ ପୁଲିସ ଡ୍ରାଇଭ ଆରମ୍ଭ ହୋଇଛି ।
ସାରା ରାଜ୍ୟରେ କରୋନା କଟକଣା କଡ଼ାକଡ଼ି ଅନୁପାଳନ କରିବା ପାଇଁ ୧୩୬ ପ୍ଲାଟୁନ ପୁଲିସ ଫୋର୍ସକୁ ନିୟୋଜିତ କରାଯାଇଛି । ଜିଲ୍ଲା ଏସପି, ଡିଏସପି ଏବଂ ବରିଷ୍ଠ ଅଧିକାରୀମାନଙ୍କ ନେତୃତ୍ୱରେ ବିଭିନ୍ନ ଛକରେ ଯାଂଚ କରାଯାଉଥିବା ଦେଖିବାକୁ ମିଳିଛି ।