୫୮୬୨ କୋଟି ପାଇଲେଣି ଚାଷୀ
ଭୁବନେଶ୍ୱର: ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନକିଣା ପ୍ରକ୍ରିୟା ବ୍ୟାପକ ହୋଇଛି। ପଞ୍ଜୀକୃତ ଚାଷୀମାନେ ଯେଭଳି ଏଥିରୁ ବାଦ୍ ନ ପଡ଼ନ୍ତି, ଏଥିଲାଗି ସରକାରୀ ସ୍ତରରେ ବିହିତ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ଦିଆଯାଇଛି। ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି, ପ୍ରତ୍ୟେକ ମଣ୍ଡିରେ ଚାଷୀମାନଙ୍କ ହିତ ପାଇଁ ଅଧିକାରୀମାନେ ନିଯୁକ୍ତ ହୋଇ ଧାନକିଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଧାନ ବିକ୍ରୟର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ସେମାନଙ୍କ ଧାନକିଣା ରାଶି ପ୍ରଦାନ କରାଯାଉଛି। ବର୍ତ୍ତମାନ ୨୭ ଜିଲାରେ ଧାନକିଣା ଜାରି ରହିଛି। ଏବେ ସୁଦ୍ଧା ଅନୁଗୋଳ, ବାଲେଶ୍ୱର, ବରଗଡ଼, ଭଦ୍ରକ, ବଲାଙ୍ଗୀର, ବୌଦ୍ଧ, କଟକ, ଦେବଗଡ଼, ଗଜପତି, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେଉଁଝର, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଆଦି ଜିଲାର ୫ ଲକ୍ଷ ୩୪ ହଜାର ୪୧୦ ଜଣ ଚାଷୀଙ୍କ ଆକାଉଣ୍ଟକୁ ସର୍ବନିମ୍ନ ସହାୟକ ମୂଲ୍ୟ ସହ ଇନ୍ପୁଟ୍ ସହାୟତା ପ୍ରଦାନ କରାଯାଇଛି। ଏହି ମର୍ମରେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି) ବାବଦକୁ ପ୍ରାୟ ୫୮୬୨ କୋଟି ଏବଂ ଇନ୍ପୁଟ୍ ସହାୟତା ବାବଦକୁ ପ୍ରାୟ ୨୦୩୯ କୋଟି ଟଙ୍କା ଏ ପର୍ୟ୍ୟନ୍ତ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ବିଭିନ୍ନ ସରକାରୀ ଛୁଟି ଓ ରବିବାରଗୁଡ଼ିକରେ ମଧ୍ୟ ଏହି ରାଶି ପ୍ରଦାନ ନିମନ୍ତେ ପ୍ରକ୍ରିୟା ଜାରି ରହିଛି। ୪୮ ଘଣ୍ଟା ଭିତରେ ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ସର୍ବନିମ୍ନ ସହାୟତା ମୂଲ୍ୟ ଏବଂ ଇନ୍ପୁଟ୍ ସହାୟତା ପ୍ରଦାନ ପାଇଁ ଏକ ତ୍ରିସ୍ତରୀୟ ପ୍ରକ୍ରିୟା କାର୍ୟ୍ୟକ୍ଷମ କରାଯାଇଛି। ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ମାର୍ଗଦର୍ଶିକା ଜାରି କରାଯାଇଛି, ଯେଉଁଥିରେ ସରକାରଙ୍କ ବୈଷୟିକ ବିଶେଷଜ୍ଞ ଏବଂ ଅଧିକାରୀଙ୍କ ଏକ ଟିମ୍ ୨୪ ଘଣ୍ଟା ଭିତ୍ତିରେ ନିରନ୍ତର କାର୍ୟ୍ୟ କରୁଛନ୍ତି। ସରକାର ନିର୍ଦ୍ଧାରିତ ସମୟରେ ଚାଷୀଙ୍କଠାରୁ ଧାନ କିଣିବା ପାଇଁ ଏକ ୧୫ ଜଣିଆ ବୈଷୟିକ ଟିମ୍ ନିୟୋଜିତ ହୋଇଛନ୍ତି। ସେମାନେ ଦୁଇଟି ଦଫାରେ କାର୍ୟ୍ୟକରି ଧାନକିଣା ଉପରେ ନଜର ରଖୁଛନ୍ତି।
Powered by Froala Editor