ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପନୀତି ବେଳେ ହୃଦ୍ଘାତରେ ଟଳି ପଡ଼ିଲେ ସେବକ
ଶ୍ରୀମନ୍ଦିରରେ ଜଣେ ସୁଆରବଡୁ ସେବକଙ୍କ ମୃତ୍ୟୁ ଘଟିଛି। ଶ୍ରୀମନ୍ଦିର ଭିତରେ ସେବାୟତଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ମୃତ ସେବାୟତ ଜଣଙ୍କ ହେଉଛନ୍ତି ଜଗନ୍ନାଥ ସୁନାଥାଳି। ଗୁରୁତର ଅବସ୍ଥାରେ ସେବାୟତଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଶ୍ରୀମନ୍ଦିର ଭିତରେ ସେ ଠାକୁରଙ୍କ ସେବା କରୁଥିଲେ। ଦ୍ୱିପ୍ରହର ଧୂପ ପାଇଁ ସିଂହାସନରେ ପାଣି ପକାଉଥିବା ସମୟରେ ଜଗନ୍ନାଥ ଛାତିରେ ଗଭୀର ଯନ୍ତ୍ରଣା ଅନୁଭବ କରି ଟଳି ପଡ଼ିଥିଲେ। ସେଠାରୁ ତାଙ୍କୁ ଉଦ୍ଧାର କରି ସଙ୍ଗେସଙ୍ଗେ ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସା କରି ମୃତ ଘୋଷଣା କରିଥିଲେ। ତେବେ ଯୁବ ସେବାୟତ ଜଗନ୍ନାଥ ସୁନାଥାଳିଙ୍କ ଆକସ୍ମିକ ମୃତ୍ୟୁରେ ସଦର ମୁଖ୍ୟ ଚିକିତ୍ସାଳୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।
ଜଗନ୍ନାଥ ସୁନାଥାଳି ଶାନ୍ତ ସ୍ବଭାବର ଥିବାବେଳେ ମହାପ୍ରଭୁଙ୍କ ସେବାକୁ ଅତ୍ୟନ୍ତ ନିଷ୍ଠାର ସହ ସମ୍ପାଦିତ କରନ୍ତି। ଦୁଇବର୍ଷ ପୂର୍ବରୁ ଜଗନ୍ନାଥ ସୁନାଥାଳି ଛାତି ଜନିତ ରୋଗରେ ଚିକିତ୍ସିତ ହେଉଥିବା ବେଳେ ପରେ ସୁସ୍ଥ ହୋଇ ପୁର୍ନବାର ମହାପ୍ରଭୁଙ୍କ ସେବାରେ ନିୟୋଜିତ ହୋଇଥିଲେ। କିନ୍ତୁ ଆଜି ହଠାତ୍ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor