ନବ ଦାସଙ୍କ ପୁଅ ବିଶାଳଙ୍କୁ ଅଟକ ରଖିଛି ଛତିଶଗଡ଼ ପୁଲିସ
ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ଅଟକ ରଖିଛି ଛତିଶଗଡ଼ ପୁଲିସ । ମହାସମୁଦ ଜିଲ୍ଲା ଅନ୍ତର୍ଗତ ସରେଇପାଲି ଥାନା ପୁଲିସ ବିଶାଳଙ୍କୁ ଅଟକ ରଖିଛି । ଗତକାଲି ବିଳମ୍ବିତ ରାତିରୁ ବିଶାଳ ଅଟକ ଥିବା ସୂଚନା ମିଳିଛି । ବିଶାଲଙ୍କ ସହ କିଛି ସମିତି ସଭ୍ୟ ଓ ସରପଞ୍ଚ ମଧ୍ୟ ଅଟକ ରହିଥିବା ଜଣାଯାଇଛି। ତେବେ ଏପରି ଗଣତନ୍ତ୍ର ଚଳିବ ନାହିଁ, ତୁରନ୍ତ ଆମ ମୁକୁଳିବା ବ୍ୟବସ୍ଥା କର ବୋଲି କହି ସେ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି
ଆଜି ଝାରସୁଗୁଡ଼ା ଜିଲ୍ଲା କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ଅଛି । ତା’ ପୂର୍ବରୁ ବିଶାଳ ଦାସଙ୍କୁ ଅଟକ ରଖିଛି ଛତିଶଗଡ଼ ପୁଲିସ । ପୁଲିସର କାର୍ୟ୍ୟାନୁଷ୍ଠାନକୁ ବେଆଇନ ବୋଲି କହିବା ସହ ଏହାର ପ୍ରତିବାଦ କରିଛନ୍ତି ବିଶାଲ ଦାସ । ତେବେ ତାଙ୍କୁ କାହିଁକି ଅଟକ ରଖାଯାଇଛି, ସରେଇପାଲି ଥାନା ପୁଲିସର ପ୍ରତିକ୍ରିୟା ମିଳିନି।
ଗତକାଲି ସମ୍ବଲପୁର ଅଇଁଠାପାଲିସ୍ଥିତ ବିଶାଲଙ୍କ ହୋଟେଲରେ ଯାଞ୍ଚ କରିଥିଲା ସରେଇପାଲି ଥାନା ପୁଲିସ ସହ ସ୍ଥାନୀୟ ପୁଲିସ୍। ସେମାନଙ୍କ ମଧ୍ୟରେ କିଛି ସାଧା ପୋଷାକଧାରୀ ବି ଥିଲେ। ତେବେ ବିନା ସର୍ଚ୍ଚ ୱାରେଣ୍ଟରେ ପୁଲିସ କାହିଁକି ହୋଟେଲରେ ପଶି ଯାଞ୍ଚ କଲା, ସେ ନେଇ ବିଶାଲ ଆପତ୍ତି ଉଠାଇବା ସହ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କୁ ଭେଟି ଫେରାଦ ହୋଇଛନ୍ତି। ଏହା ପଛରେ କିଛି ରାଜନୈତିକ ଚାପ ଥାଇପାରେ ବୋଲି କହିଛନ୍ତି ବିଶାଲ।
Powered by Froala Editor