ଭବିଷ୍ୟତ ଯୁଦ୍ଧରେ ନୁହେଁ ବୁଦ୍ଧରେ: ମୋଦୀ
ଭୁବନେଶ୍ଵର : ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ଵାଗତ କରିଛନ୍ତି। ସମ୍ମେଳନରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ପ୍ରବାସୀଙ୍କୁ ଉଦବୋଧନ ଦେଇଛନ୍ତି। ସେ କହିଛନ୍ତି ଯେ, ଜଗନ୍ନାଥ ଓ ଲିଙ୍ଗରାଜଙ୍କ ଭୂମିରେ ଆପଣଙ୍କୁ ସ୍ଵାଗତ। କିଛି ଦିନ ପରେ ମହାକୁମ୍ଭ ଆରମ୍ଭ ହେବାକୁ ଯାଉଛି। ପୋଙ୍ଗଲ, ବିହୁ ମଧ୍ୟ ପାଳନ ହେବ। ଏଥିପାଇଁ ସବୁଠି ଉତ୍ସବର ବାତାବରଣ। ଓଡ଼ିଶା ସମୃଦ୍ଧ ଐତିହ୍ୟର ପ୍ରତିବିମ୍ବ। ଖଣ୍ଡଗିରି, ଉଦୟଗିରି, କୋଣାର୍କ ଦେଖିଲେ ଗର୍ବ ଅନୁଭବ ହୁଏ। ସମୁଦ୍ର ଯାତ୍ରା କରି ଓଡ଼ିଶାର ବଣିକମାନେ ବିଦେଶ ଯାଉଥିଲେ। ଏହାକୁ ସ୍ମରଣ ପାଇଁ ବାଲିଯାତ୍ରା ପାଳନ ହୁଏ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଧଉଳି ଶାନ୍ତିର ପ୍ରତୀକ। ସମ୍ରାଟ ଅଶୋକ ଏଠାରେ ଧର୍ମାଶୋକରେ ପରିଣତ ହୋଇଥିଲେ। ଭବିଷ୍ୟତ ଯୁଦ୍ଧରେ ନୁହେଁ ବୁଦ୍ଧରେ ବୋଲି କହିଛନ୍ତି ମୋଦି। ସେ ପୁଣି କହିଛନ୍ତି ଯେ, ମୁଁ ଆପଣମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। କାରଣ ଆପଣମାନଙ୍କ ପାଇଁ ମୁଁ ବିଦେଶରେ ଗର୍ବ ଅନୁଭବ କରେ। ଭାରତୀୟ ଯେଉଁଠି ଯାଆନ୍ତି ସେଠିକାର ନିୟମ ସହ ଯୋଡ଼ି ହୋଇଯାଆନ୍ତି। ଏକବିଂଶ ଶତାବ୍ଦୀରେ ଭାରତର ବିକାଶ ଅଦ୍ଭୁତପୂର୍ବ। ଅର୍ଥନୀତିରେ ଦଶମରୁ ପଞ୍ଚମ ସ୍ଥାନକୁ ଉଠିଛୁ। ଭାରତ ବିଶ୍ଵରେ ପଞ୍ଚମ ବୃହତ ଅର୍ତନୀତି ହୋଇଛି। ଖୁବଶୀଘ୍ର ବିଶ୍ଵ ଅର୍ଥନୀତିରେ ତୃତୀୟ ସ୍ଥାନକୁ ଉନ୍ନୀତ ହେବୁ। ଗଣତନ୍ତ୍ର ଏବଂ ବିବିଧତା ଆମ ଲାଇଫ୍ଲାଇନ୍। ଆଜି ଭାରତ ଫାଇଟର୍ ଜେଟ୍ ନିର୍ମାଣ କରୁଛି। ଭାରତ କଥାକୁ ଆଜି ପୁରା ବିଶ୍ଵ ଶୁଣୁଛି।
ପ୍ରବାସୀଙ୍କ ସମସ୍ୟା ଦୂର କରିବା ଆମ ଦାୟିତ୍ଵ। ପୂର୍ବରୁ ପ୍ରବାସୀମାନେ ସାହାଯ୍ୟ ପାଇଁ ଅନୁରୋଧ କରୁଥିଲେ। ଏବେ କିନ୍ତୁ ସମୟ ବଦଳିଛି, ଆମେ ପ୍ରବାସୀଙ୍କୁ ଗୁରୁତ୍ଵ ଦେଉଛୁ। ପ୍ରବାସୀଙ୍କ ସମୃଦ୍ଧି ଓ ସୁରକ୍ଷା ଉପରେ ଗୁରୁତ୍ଵ ଦେଉଛୁ। ଭାରତର ବିକାଶରେ ଆପଣଙ୍କର ଯୋଗଦାନ ପ୍ରଶଂସାଯୋଗ୍ୟ। ଆପଣଙ୍କ ଯୋଗଦାନ ବିକଶିତ ଭାରତ ଯାତ୍ରାକୁ ଆହୁରି ଶକ୍ତି ଦେବ। ଆପଣଙ୍କ ପିଲାମାନଙ୍କୁ ଛୋଟ ଛୋଟ ସହରରେ ବୁଲାନ୍ତୁ। ପରବର୍ତ୍ତୀ ସମୟରେ ଯେତେବେଳେ ଭାରତ ଆସୁଛନ୍ତି ସେତେବେଳେ ଅତିକମ୍ରେ ନିଜର ୫ ଜଣ ବନ୍ଧୁଙ୍କୁ ସାଙ୍ଗରେ ଆଣନ୍ତୁ। ଭାରତର ପ୍ରକୃତ ଇତିହାସକୁ ଆଗକୁ ଆଣନ୍ତୁ। ଯେଉଁଠି ବି ରୁହନ୍ତୁ ଆମର ପ୍ରକୃତ ଇତିହାସ ଜାଣନ୍ତୁ। ଯେଉଁଠି ରହୁଛନ୍ତି, ସେଠି ପୁରସ୍କାର ସମାରୋହ ଆୟୋଜନ କରାନ୍ତୁ। ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ମୂଳ ନିବାସୀଙ୍କୁ ପୁରସ୍କୃତ କରାନ୍ତୁ। ଏଥିରେ ଆପଣଙ୍କୁ ଭାରତୀୟ ଦୂତାବାସ ସହଯୋଗ କରିବ।
Powered by Froala Editor