ଆଇଏଏସ୍ ମନୋଜ ସାହୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନିଯୁକ୍ତ
ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ମନୋଜ କୁମାର ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ମିଳିଛି। ଶ୍ରୀ ସାହୁଙ୍କୁ ଅରିନ୍ଦମ ଡାକୁଆଙ୍କ ସ୍ଥାନରେ ନିଯୁକ୍ତି ମିଳିଛି। ଏ ନେଇ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି।
୨୦୦୬ ବ୍ୟାଚ୍ ଏଜିଏମୟୁଟି କ୍ୟାଡ଼ରର ଆଇଏଏସ୍ ମନୋଜ କୁମାର ସାହୁ ୨୦୧୬ରୁ ୨୦୧୯ ପର୍ଯ୍ୟନ୍ତ ପ୍ରାୟ ୩ବର୍ଷ ଧରି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ ତୁଲାଇଥିଲେ । ମନୋଜଙ୍କୁ ଓଡ଼ିଶା କ୍ୟାଡରରେ ନିଯୁକ୍ତି ଦେବାକୁ କେନ୍ଦ୍ର ସରକାରଙ୍କ ପାଖରେ ରାଜ୍ୟ ସରକାର ଅନୁରୋଧ କରିଥିଲେ।
ମନୋଜ ସାହୁ ଗତ ନଭେମ୍ବର ୧୭ ତାରିଖ ଠାରୁ କେନ୍ଦ୍ରୀୟ ଡେପୁଟେସନରେ ଓଡ଼ିଶା କ୍ୟାଡରକୁ ଆସିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରୁଥିବା ୨୦୧୧ ବ୍ୟାଚ୍ ଆଇଏଏସ୍ ଅରିନ୍ଦମ ଡାକୁଆଙ୍କୁ ଗୁରୁବାର ବଦଳି କରାଯିବା ପରେ ଏହି ପଦବୀ ଖାଲି ପଡ଼ିଥିଲା । ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଶ୍ରୀ ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଅବସ୍ଥାପିତ କରାଯାଇଛି ।
Powered by Froala Editor