ମାର୍ଚ୍ଚ ୩୧ ସୁଦ୍ଧା 'ସୁଭଦ୍ରା' ଆବେଦନ କଲେବି ମିଳିବ ୨ଟି କିସ୍ତି
ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ରାଜ୍ୟ କ୍ୟାବିନେଟ୍ରେ ବଡ଼ ନିଷ୍ପତ୍ତି। ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା 'ସୁଭଦ୍ରା' ଆବେଦନ କଲେ ବି ଆବେଦନକାରୀ ମହିଳାଙ୍କୁ ୨୦୨୪ରେ ବାକିଥିବା ୨ଟି କିସ୍ତି ମିଳିବ। ଗତକାଲି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି, ୨୦୨୪-୨୦୨୫ ପାଇଁ ଆବେଦନର ଶେଷ ତାରିଖ ରହିଛି ଆସନ୍ତା ମାର୍ଚ୍ଚ ୩୧ ତାରିଖ। ତା’ଭିତରେ ଯେଉଁମାନେ ବି ଆବେଦନ କରିବେ, ସମସ୍ତଙ୍କୁ ୨ଟି କିସ୍ତି ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।ବର୍ତ୍ତମାନ ସୁଭଦ୍ରା ଯୋଜନାରେ ୧ କୋଟି ୬ ଲକ୍ଷରୁ ଅଧିକ ଆବେଦନ ପଞ୍ଜୀକୃତ ହୋଇଛି। ଏହା ମଧ୍ୟରୁ ୮୦,୨୯.୭୪୨୧ ଜଣଙ୍କ ଆବେଦନକୁ (ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ) ମଞ୍ଜୁର କରାଯାଇଛି। ପ୍ରଥମ କିସ୍ତିରେ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି।
ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ନଥିବା ଅବଶିଷ୍ଟ ଆବେଦନଗୁଡ଼ିକ ବିଚାରାଧୀନ ଅଛି। ବର୍ତ୍ତମାନ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆବେଦନ କରିବାର କୌଣସି ଶେଷ ତାରିଖ ରଖାଯାଇ ନଥିଲା। ରାଜ୍ୟ କ୍ୟାବିନେଟ୍ରେ ଏହି ପଞ୍ଜୀକରଣର ଶେଷ ତାରିଖ ଧାର୍ୟ୍ୟ କରାଯାଇଛି। ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୨୦୨୪-୨୫ ଆର୍ଥିକ ବର୍ଷର ସୁଭଦ୍ରା ପଞ୍ଜୀକରଣ ଶେଷ ହେବ ବୋଲି ନିଷ୍ପତ୍ତି ହୋଇଛି।
Powered by Froala Editor