ଆହୁରି ବଢ଼ିବ ଶୀତ, ଘନ କୁହୁଡ଼ି ସମ୍ଭାବନା
ଓଡ଼ିଶାରେ ଶୀତଲହରୀ ପୁଣି ଥରେ ଆରମ୍ଭ ହୋଇଯାଇଛି। ଉତ୍ତର-ଉତ୍ତର ପୂର୍ବ ଦିଗରୁ ରାଜ୍ୟକୁ ବାୟୁ ପ୍ରବାହ ଯୋଗୁ ଥଣ୍ଡା ବଢୁଛି। ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ସେଲସିୟସ୍ ଯାଏ ଖସିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଜାରି କରିଥିବା ପୂର୍ବାନୁମାନ ଅନୁସାରେ ଆସନ୍ତା ୪-୫ ଦିନ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବ। ଆଗାମୀ ଦିନରେ ଶୀତ ଆହୁରି ବଢ଼ିପାରେ।
କିଛି ସ୍ଥାନରେ ପାରଦ ୧୦ ଡିଗ୍ରି କିମ୍ବା ତା’ଠୁ ଆହୁରି କମିବା ସମ୍ଭାବନା ରହିଛି। ରାଉରକେଲାରେ ସର୍ବନିମ୍ନ ୭ଡିଗ୍ରୀ ରହିଥିବା ବେଳେ ଝାରସୁଗୁଡାରେ ୮ ଡିଗ୍ରୀ, କେନ୍ଦୁଝରରେ ୯.୫ ଡିଗ୍ରୀ, ଫୁଲବାଣୀରେ ୯.୫ ଡିଗ୍ରୀ, ଦାରିଙ୍ଗବାଡିରେ ୯.୫ ଡିଗ୍ରୀ, ସୁନ୍ଦରଗଡରେ ୯.୭ ଡିଗ୍ରୀ ଓ ସୋନପୁରରେ ୧୦ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟର କେତେକ ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି। ଶୁକ୍ରବାର ସକାଳେ ଅନୁଗୁଳ, ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାରେ ଘନକୁହୁଡି ହୋଇପାରେ। ଫଳରେ ଦୃଶ୍ୟମାନ କ୍ଷମତା ୨୦୦ ମିଟରରୁ କମ୍ ରହିପାରେ ବୋଲି ପୂର୍ବାନୁମାନ କରାଯାଉଛି।
ଚଳିତ ବର୍ଷ ପୁଣି ଓଡ଼ିଶାର ଦାର୍ଜିଲିଂ କୁହାଯାଉଥିବା ଘୁମୁସର ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ଚିହ୍ନଟ ହୋଇଛି। ଘୁ.ଉଦୟଗିରି ସହରର ସର୍ବନିମ୍ନ ତାପମାତ୍ରା ୪.୮ଡିଗ୍ରି ସେଲସିୟସ ରେକର୍ଡ କରାଯାଇଥିବା କୃଷି ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। କିଛି ଦିନ ବ୍ୟବଧାନ ପରେ ହଠାତ୍ ଶୀତ ବଢ଼ିଥିବାରୁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହେଉଛି।
Powered by Froala Editor