ବାଘ ଛାଲ ଡିଲ୍ କରିବାକୁ ଆସୁଥିଲେ, ୨ ଜଣଙ୍କୁ ମାଡ଼ିବସିଲା ପୁଲିସ
ପୁଣି ଥରେ ସକ୍ରିୟ ହେଲେଣି ବାଘ ଚମଡା ବ୍ୟବସାୟୀ । କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରୁ ଏକ କଲାରାପତରିଆ ବାଘ ଛାଲ ସହିତ ୨ ଜଣଙ୍କୁ ପୁଲିସ ଓ ବନ କର୍ମଚାରୀ ଧରିବାରେ ସଫଳ ହୋଇଛନ୍ତି । ଗିରଫମାନେ ହେଲେ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ବସନ୍ତପୁର ଗ୍ରାମର ରାମ ବାଣ୍ଡିଆ ଓ ସେହି ଥାନା ଅନ୍ତର୍ଗତ ଖଡ଼ିପାଳ ଗ୍ରାମର ସାଗର କୁଳପଡ଼ିଆ ।
ଏମାନେ ୨ ଲକ୍ଷ ଟଙ୍କାରେ ବାଘ ଛାଲକୁ ବିକ୍ରି କରିବାକୁ ଡିଲ୍ କରିଥିଲେ । ସେଥିପାଇଁ ମୟୂରଭଞ୍ଜରୁ ବାଇକ୍ରେ ସାହାରପଡା ଫାଣ୍ଡି ଓସ୍ତଯୋଡି ଗ୍ରାମକୁ ଆଣିବା ସମୟରେ ଧରାପଡିଛନ୍ତି । ଅଭିଯୁକ୍ତଙ୍କୁ ବନବିଭାଗ ନିଜ ହେପାଜାତକୁ ଆଣି ଜେରା ଚଳାଇଛି ।
ବାଘକୁ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରୁ ଶିକାର କରାଯିବା ପରେ ଅଭିଯୁକ୍ତ ଦ୍ୱୟ ବିକ୍ରି କରିବାକୁ ମୂଲଚାଲ କରୁଥିଲେ । ବାଘ ଛାଲରୁ ଏହାର ବୟସ ୫ ବର୍ଷ ହେବ ବୋଲି ବନବିଭାଗ କହିଛି । ଅଭିଯୁକ୍ତ ଦ୍ୱୟକୁ ଧରିବା ପରେ ବନବିଭାଗ ପକ୍ଷରୁ କେନ୍ଦୁଝର ଅଣାଯାଇ ମାରାଥନ୍ ଜେରା କରାଯାଉଛି । ଅଭିଯୁକ୍ତଙ୍କ ଠାରୁ ବାଘଛାଲ ସହିତ ଏକ ହିରୋ ହୋଣ୍ଡା ମଟରସାଇକେଲ ଏବଂ ଦୁଇଟି ମୋବାଇଲ ଜବତ କରାଯାଇଛି ।
Powered by Froala Editor