ବର୍ଷାରେ ନଷ୍ଟ ହେଲା ଫସଲ, ରଶି ଲଗାଇ ଝୁଲି ପଡ଼ିଲେ ଯୁବଚାଷୀ
ବର୍ଷା ଯୋଗୁଁ ଫସଲ ନଷ୍ଟ ହେଲା । ବର୍ଷକର ଆହାର ଯେମିତି ମାଟିରେ ମିଶିଗଲା । ଧାର କରଜ କରି ଚାଷ କରିଥିବା ଚାଷୀ ଯେମିତି ହା ହତାଶରେ ନିରାଶ ହେଲା । କେହି କେହି ଦୁଃଖରେ ଭାଙ୍ଗି ପଡିଛନ୍ତି ତ କିଛି ଚାଷୀ ଚରମ ବାଟ ବାଛି ନେଉଛନ୍ତି । ସେହି ଭଳି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ତଣ୍ଡିକୂଳ ପଞ୍ଚାୟତର ସାରଣା ଗାଁର ଜଣେ ଯୁବଚାଷୀ ଜୀବନ ହାରି ଦେଇଛନ୍ତି । ମୃତ ଚାଷୀ ହେଲେ ୩୫ ବର୍ଷୀୟ କୁନା ଓରଫ କୃତିବାସ ସ୍ୱାଇଁ ।
କୁନା ପୂର୍ବରୁ ଚେନ୍ନାଇରେ ଏକ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ । ୭ରୁ ୮ ବର୍ଷ ହେବ ସେ ସେଠାରୁ ଚାଲି ଆସି ଗାଁରେ ଚାଷବାସ କରୁଥିଲେ । ବାପାଙ୍କ ପୈତୃକ ଚାଷ ଜମି ସମେତ ଦୁଇ ଏକରରୁ ଊର୍ଦ୍ଧ୍ୱ ଜମିରେ ସେ ଭାଗ ଚାଷ କରି ପରିବାର ପ୍ରତିପୋଷଣ କରି ଆସୁଥିଲେ । ଏବର୍ଷ ସେ ବିଭିନ୍ନ ସଂସ୍ଥାରୁ ଟଙ୍କା କରଜ ଆଣି ଚାଷ କାମରେ ଲଗାଇଥିଲେ ।
ଲଘୁଚାପ ଜନିତ ଲଗାଣ ବର୍ଷା ପୂର୍ବରୁ କୁନା ଗୋଟିଏ ଏକର ଧାନ କାଟି ଦେଇଥିଲେ । ହେଲେ ବର୍ଷା ପରେ ଧାନ ବିଲରୁ ଆଣିବାକୁ ଖୁବ୍ ଅଧିକ ଟଙ୍କା ଲୋଡା ପଡ଼ିଥିବାରୁ ସେ ସେହି ଚିନ୍ତାରେ ଘାଣ୍ଟି ହେଉଥିଲେ । ଦୁଇ ଦିନ ତଳେ ବିଲକୁ ଯାଇ ଧାନର ଅବସ୍ଥା ଦେଖି ସେ ଭାଙ୍ଗି ପଡିଥିଲେ । କେମିତି ବିଲରୁ ଧାନ ଖଳାକୁ ଆସିବ ସେଥିପାଇଁ ସେ ଚିନ୍ତାରେ ଥିଲେ ।
କୁନାଙ୍କ ମନଦୁଃଖ ଦେଖି ମା’ ମଧ୍ୟ ଅନେକ ବୁଝାଇଥିଲେ । କିନ୍ତୁ ସୋମବାର ପୁଣି ସେ ବିଲକୁ ଯାଇ ଫେରିବା ପରେ ସନ୍ଧ୍ୟାରେ ଘର ଲୋକଙ୍କ ସହିତ ପିଣ୍ଡାରେ ବସି ଚା’ ପିଉଥିଲେ । ଏହି ସମୟରେ କୁନା ଶୋଇବା ଘରକୁ ହଠାତ ପଶି ଯାଇ ବେକରେ ରଶି ଲଗାଇ ଫ୍ୟାନ୍ରେ ଝୁଲି ପଡ଼ିଥିଲେ । ଘର କବାଟ ଭାଙ୍ଗି କୁନାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ରୋଜଗାରକ୍ଷମ ପୁଅକୁ ହରାଇ ପରିବାର ସଦସ୍ୟମାନେ ଭାଙ୍ଗି ପଡ଼ିଛନ୍ତି ।
Powered by Froala Editor