ଗୁପ୍ତ ବୈଠକ କରୁଥିଲେ, ଧରାପଡ଼ିଲେ ୩ ମହିଳା ମାଓବାଦୀ
ମାଲକାନଗିରି ଜିଲ୍ଲାରେ ୩ ହାର୍ଡକୋର୍ ମହିଳା ମାଓବାଦୀଙ୍କୁ ଧରିଛି ପୁଲିସ । ଏମାନଙ୍କ ମୁଣ୍ଡରେ ଥିଲା ୮ ଲକ୍ଷ ଟଙ୍କାର ପୁରସ୍କାର । ଗିରଫମାନେ ହେଲେ ଚିତ୍ରକୋଣ୍ଡା ବ୍ଲକ୍ ଯୋଡ଼ାମ୍ବ ଥାନା ଧୋକଡ଼ପଦର ଗାଁର ଚନ୍ଦ୍ରମା ଖିଲ ଓରଫ ସ୍ୱପ୍ନା, କମଳା ଖିଲ ଓରଫ ବବିତା ଓ ସୁନୀତା ଖିଲ । ଏମାନଙ୍କ ନାଁରେ ଓଡ଼ିଶା, ଛତିଶଗଡ଼ର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ଏମାନେ ପୁଲିସ୍ ଉପରେ ଆକ୍ରମଣ, ଗୁଳିବିନିମୟ ସହ ଏକାଧିକ ହିଂସାକାଣ୍ଡରେ ଜଡ଼ିତ ।
ମାଲକାନଗିରି ଚିତ୍ରକୋଣ୍ଡା ଥାନା ଗୁଣ୍ଠାୱାଡ଼ା ଜଙ୍ଗଲରେ କେତେକ ମାଓବାଦୀ ଗୁପ୍ତ ବୈଠକ କରୁଥିଲେ । ଗୁଇନ୍ଦା ବିଭାଗର ସୂଚନା ଆଧାରରେ ଏସ୍ଓଜି, ଡିଭିଏଫ୍ ଯବାନ ଓ ଚିତ୍ରକୋଣ୍ଡା ପୁଲିସ୍ ପକ୍ଷରୁ ମିଳିତ ଭାବେ ଶୁକ୍ରବାର ଚଢ଼ଉ କରାଯାଇଥିଲା । ପୁଲିସ୍ଙ୍କୁ ଦେଖି କେତେକ ମାଓବାଦୀ ଛତ୍ରଭଙ୍ଗ ଦେଇ ପଳାଇବାରେ ସକ୍ଷମ ହୋଇଥିଲେ । କିନ୍ତୁ ୩ଜଣ ମହିଳା ମାଓବାଦୀଙ୍କୁ ପୁଲିସ୍ କାବୁ କରିବାରେ ସଫଳ ହୋଇଛି ।
୨୦୧୮ ମସିହାରେ ସ୍ୱପ୍ନା ମାଓ ସଂଗଠନରେ ଯୋଗଦେଇ ଆନ୍ଧ୍ର-ଓଡ଼ିଶା ବର୍ଡର ଜୋନାଲ କମିଟି ଗୁମ୍ମା ଅଞ୍ଚଳର ମାଓବାଦୀ ମିଲିଟାରୀ ପ୍ଲାଟୁନର ମହିଳା ନେତ୍ରୀ ଭାବେ କାମ କରୁଥିଲେ । ତାଙ୍କ ମୁଣ୍ଡରେ ୪ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ବବିତା ୨୦୨୧ରେ ମାଓ ସଂଗଠନରେ ଯୋଗଦେଇ ମାଓବାଦୀ ଉଦୟ ଟିମ୍ରେ ପାର୍ଟି ମେମ୍ବର ଭାବେ କାମ କରୁଥିଲେ । ତାଙ୍କ ମୁଣ୍ଡରେ ରହିଛି ୨ ଲକ୍ଷ ଟଙ୍କାର ପୁରସ୍କାର । ୨୦୨୧ ମସିହାରେ ସୁନିତା ମାଓ ସଂଗଠନରେ ଯୋଗଦେଇ ଆନ୍ଧ୍ର-ଓଡ଼ିଶା-ଛତିଶଗଡ଼ ବର୍ଡର ଜୋନାଲ କମିଟିର ଦୁର୍ଦ୍ଦାନ୍ତ ମାଓବାଦୀ ଉଦୟ ପାଖରେ କାମ କରୁଥିଲେ । ସୁନିତା ମୁଣ୍ଡରେ ୨ ଲକ୍ଷର ପୁରସ୍କାର ଘୋଷଣା କରାଯାଇଥିଲା । ଏମାନଙ୍କ ଗିରଫଦାରୀ ପରେ ପୁଲିସକୁ ବଡ ସଫଳତା ମିଳିଛି । ଗିରଫ ୩ ମହିଳା ମାଓବାଦୀଙ୍କୁ କୋର୍ଟଚାଲାଣ କରାଯାଇଛି ।
Powered by Froala Editor