ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ବୃଦ୍ଧି
ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳକୁ ରାଜ୍ୟ ବିଜେପି ସରକାର ବୃଦ୍ଧି କରିଛନ୍ତି । ଶ୍ରୀ ଆହୁଜାଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ଆଉ ବର୍ଷେ ବୃଦ୍ଧି କରିଛନ୍ତି । ଡିସେମ୍ବର ୩୧ ତାରିଖରେ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା । ନୂଆ ସରକାରଙ୍କ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାରେ ଶ୍ରୀ ଆହୁଜା ସଫଳ ହୋଇଛନ୍ତି । ନିର୍ବାଚନବେଳେ ବିଜେପି ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାରେ ଶ୍ରୀ ଆହୁଜା ଏକ ବଡ଼ ଭୂମିକା ନିଭାଇଥିବା କୁହାଯାଉଛି । କ୍ୟାବିନେଟ ନିଯୁକ୍ତି କମିଟି ସିଏସଙ୍କ କାର୍ୟ୍ୟକାଳ ବୃଦ୍ଧିକୁ ମଞ୍ଜୁରୀ ଦେଇଛନ୍ତି । ୧୮ତମ ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ମନୋଜ ଆହୁଜାଙ୍କ କାର୍ୟ୍ୟକାଳ ବୃଦ୍ଧି କରାଯାଇଛି । ଆସନ୍ତା ଜାନୁଆରୀ ୮ରୁ ୧୦ ଯାଏ ପ୍ରବାସୀ ଭାରତୀୟ ସମ୍ମିଳନୀ ହେବ । ଏହା ସହିତ ଜାନୁଆରୀ ୨୮ରୁ୨୯ ଉତ୍କର୍ସ ଓଡିଶା ସମ୍ମିଳନୀ ଅନୁଷ୍ଠିତ ହେବ । ଗତ ଜୁନ୍ ୩୦ରେ ଓଡ଼ିଶା ନୂଆ ମୁଖ୍ୟଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ମନୋଜ ଆହୁଜା। ସେ ପ୍ରଦୀପ ଜେନାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ମନୋଜ ହେଉଛନ୍ତି ୧୯୯୦ ବ୍ୟାଚର ଆଇଏଏସ ଅଫିସର।ସେ କେନ୍ଦ୍ରରେ କୃଷି ମନ୍ତ୍ରାଳୟର ସଚିବ ଭାବେ କାମ କରିଛନ୍ତି । କେନ୍ଦ୍ର ସରକାରଙ୍କ ସାଧାରଣ ଅଭିଯୋଗ ଏବଂ ପ୍ରଶିକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ୟ୍ୟ କରିଛନ୍ତି । ରାଜ୍ୟରେ ନୂଆ ସରକାର କ୍ଷମତାକୁ ଆସିବା ପରେ ତାଙ୍କୁ କେନ୍ଦ୍ରୀୟ ଡେପୁଟେସନରୁ ଫେରାଇ ଆଣିବାକୁ ଅନୁରୋଧ କରାଯାଇଥିଲା। ଏହାପରେ ସେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।
Powered by Froala Editor