କଲରାପତରିଆ ବାଘ ଛାଲ ସହିତ ଜଣଙ୍କୁ ମାଡ଼ିବସିଲା ବନବିଭାଗ
ରବିବାର ରାୟଗଡ଼ା ସହରରେ ବାଘ ଛାଲ ବିକ୍ରି କରିବା ପାଇଁ ଡିଲ୍ କରିବାବେଳେ ବନ ବିଭାଗର ଭିଜିଲାନ୍ସ ହାତରେ ଧରାପଡିଛି ଅଭିଯୁକ୍ତ। ବନ ବିଭାଗ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ସହ ୨ଟି କଲରାପତରିଆ ବାଘଛାଲ ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ ରେଡ୍ଡି କୌଶଲ୍ୟା। ତାଙ୍କ ଘର ଶେଷଖାଲ ଥାନା ଅନ୍ତର୍ଗତ ଜେମାଦେଇପେଣ୍ଠ ସ୍ଥିତ ପ୍ରେମନଗର ଅଂଚଳରେ। ଗିରଫ ରେଡ୍ଡି ଉକ୍ତ ବାଘ ଛାଲ କେଉଁଠାରୁ ଆଣିଥିଲେ ତାହା ସ୍ପଷ୍ଟ ହୋଇନାହିଁ।
ରେଡ୍ଡି ଦୁଇଟି ବାଘ ଛାଲ ବିକ୍ରି କରିବା ପାଇଁ ରବିବାର ମଧ୍ୟାହ୍ନରେ ପୁରୁଣା ଗେଟ୍ ଛକରେ ଏକ ବସ୍ତା ଧରି ଠିଆ ହୋଇଥିଲେ। ସେହି ସମୟରେ ବନ ବିଭାଗ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲେ।
ରେଡ୍ଡି ଧରିଥିବା ବସ୍ତାରେ ଦୁଇଟି ଚିତା ବାଘ ଛାଲ ଜବତ କରିବା ସହ ତାଙ୍କୁ ଗିରଫ କରି ବନ ବିଭାଗ କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାରେ ପଚରାଉଚୁରା ପରେ ମାମଲା ରୁଜୁ କରାଯିବା ସହ ଅଧିକ ତଦନ୍ତ ଜାରି ରହିଛି ା
ଗତକାଲି ମୁନିଗୁଡା ବନାଞ୍ଚଳର ନିୟମଗିରି ପାହାଡ ଅଞ୍ଚଳରୁ ମୁନିଗୁଡା ବନବିଭାଗ ଓ ଏସ.ଟି.ଏଫ ୨ଟି ହାତୀ ଦାନ୍ତ ଜବତ କରିବା ସହ ୫ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି।
Powered by Froala Editor