ଟ୍ରେନ୍ରୁ ପଡ଼ି ଦୁଇ ମହିଳା ମୃତ
ଗଞ୍ଜାମ : ଭୁବନେଶ୍ୱରରେ ପାଚିକା ସହାୟିକା ସଂଘର ରାଲିରେ ଯୋଗ ଦେବାକୁ ଯାଉଥିବା ବେଳେ ଟ୍ରେନ୍ରୁ ପଡ଼ି ଦୁଇ ଜଣ ପାଚିକା ସହାୟିକାଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲା ସୁରଳ ରୋଡ୍ ରେଳ ଷ୍ଟେସନରେ ଆଜି ସକାଳେ ଘଟିଛି ଏହି ଘଟଣା।
ମୃତ ପାଚିକା ସହାୟିକା ଦ୍ୱୟ ହେଉଛନ୍ତି ପାର୍ବତୀ ଗୌଡ଼ ଓ ଝୁନୁ ଗୌଡ଼। ସେମାନଙ୍କ ଘର ଚିକିଟି ବ୍ଲକ ପିତାତଳି ପଞ୍ଚାୟତ ଜଗନ୍ନାଥପୁର ଗାଁରେ। ସେମାନେ ଜଗନ୍ନାଥପୁର ହାଇସ୍କୁଲରେ ପାଚିକା ସହାୟିକା ଭାବେ କାର୍ୟ୍ୟ କରୁଥିଲେ।
ଭୁବନେଶ୍ୱର ଯିବା ପାଇଁ ସେମାନେ ଆଜି ସକାଳେ ପଲାସା-କଟକ ଡିଏମ୍ୟୁରେ ଚଢ଼ିଥିଲେ। ସୂଚନା ଅନୁଯାୟୀ, ସେମାନେ ତରତର ହୋଇ ଟ୍ରେନ୍ରେ ଚଢ଼ୁଥିବା ବେଳେ ପଡ଼ି ଯାଇଥିଲେ। ପ୍ରଥମେ ଜଣେ ପଡ଼ି ଯାଇଥିଲେ। ତାଙ୍କୁ ରକ୍ଷା କରିବାକୁ ଯାଇ ଅନ୍ୟ ଜଣେ ପଡ଼ି ଯାଇଥିଲେ। ଫଳରେ ଟ୍ରେନ୍ରେ କଟି ସେମାନଙ୍କର ସେହିଠାରେ ମୃତ୍ୟୁ ଘଟିଥିଲା।
ଆରପିଏଫ୍ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ସହିତ ମାମଲା ରୁଜୁ କରି କେମିତି ଏଭଳି ଏକ ଘଟଣା ଘଟିଲା ତା’ର ତଦନ୍ତ କରୁଛି।
Powered by Froala Editor