ଜାନୁଆରୀ ୧୪ରୁ ଭିତରକନିକା ବନ୍ଦ
ରାଜନଗର: ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ୨୦୨୫ ଜାନୁଆରୀ ୧୪ରୁ ୨୨ ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯିବ। ଏଥିପାଇଁ ପର୍ଯ୍ୟଟକଙ୍କ ଲାଗି ଏହି ଜାତୀୟ ଉଦ୍ୟାନ ବନ୍ଦ ରହିବ ବୋଲି ଜଣାପଡ଼ିଛି। ଶୀତ ସହ ଅମାବାସ୍ୟା ତିଥିକୁ ଦୃଷ୍ଟିରେ ରଖି କୁମ୍ଭୀର ଗଣନା ପାଇଁ ସମୟ ସ୍ଥିର କରାଯାଇଥାଏ। ଶୀତ ଅଧିକ ହେଲେ ଛୋଟରୁ ବଡ ପର୍ଯ୍ୟନ୍ତ ସବୁ କୁମ୍ଭୀର ନଦୀପଠାରେ ଖରା ଖାଇବାକୁ ପଡ଼ି ରହିଥାନ୍ତି। ଭିତରକନିକାର ନଦୀନାଳ ମୁଖ୍ୟତଃ ଜୁଆରିଆ ହୋଇଥିବାରୁ ଅଧିକ ଭଟ୍ଟା ରହୁଥିବା ଅମାବାସ୍ୟା ତିଥି ପରେ ଉଚ୍ଚ ଜୁଆର ଆସୁ ନଥିବାରୁ ନଦୀପଠା ବୁଡି ନ ଥାଏ। ଏହି ସମୟରେ ଦିନ ଓ ରାତିରେ କୁମ୍ଭୀର ଗଣନା କରିବାକୁ ସୁବିଧା ହୋଇଥାଏ। ମୁଖ୍ୟତଃ ପର୍ଯ୍ୟଟକମାନେ ବୋଟ୍ରେ ଆସିବା ସମୟରେ କୁମ୍ଭୀରମାନେ ପଠାରୁ ନଦୀ ଭିତରକୁ ଚାଲି ଯାଆନ୍ତି। ପର୍ଯ୍ୟଟକଙ୍କୁ ବନ୍ଦ କରିବାର ୩ ରୁ ୪ଦିନ ପରେ ଆହୁଲା ମରା ଡଙ୍ଗା ସାହାଯ୍ୟରେ କୁମ୍ଭୀର ଗଣନା କରାଯାଇଥାଏ।
Powered by Froala Editor