ଏନ୍କାଉଣ୍ଟରରେ ଡକାୟତ ସଞ୍ଜୀବ ଆହତ, ଗୋଡ଼ରେ ବାଜିଛି ଗୁଳି
ଚାରମାଳ ଡକାୟତି ଘଟଣାରେ ସଂପୃକ୍ତ ଦୁର୍ଦ୍ଦାନ୍ତ ଅପରାଧୀ ସଞ୍ଜୀବ କରାଳିକୁ ସମ୍ବଲପୁର ପୁଲିସ୍ ଏନ୍କାଉଣ୍ଟର କରିଛି। ଏହି ଏନ୍କାଉଣ୍ଟରରେ କୁଖ୍ୟାତ ଅପରାଧୀ ଆହତ ହୋଇଛି। ତା’ ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସମ୍ବଲପୁର ପୁଲିସ କହିଛି, ବିଶ୍ବସ୍ତ ସୂତ୍ରରୁ ଏକ ସୂଚନା ମିଳିଥିଲା। ଏହି ଆଧାରରେ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ରେଙ୍ଗାଲି ଅଞ୍ଚଳକୁ ପଠାଇଥିଲା। ପୁଲିସ ସର୍ଚ୍ଚ ଅପରେସନ୍ ଆରମ୍ଭ କରି ସଞ୍ଜୀବର ଠିକଣାରେ ଅତର୍କିତ ଚଢ଼ାଉ କରିଥିଲା। ରେଙ୍ଗାଲି ଥାନା ଅଧୀନ ଗୁମଲେଇରୋଡର ରାମ୍ପେଲା ଛକ ନିକଟରେ ସଂଜୀବକୁ ପୁଲିସ ଅଟକାଇବାକୁ ଉଦ୍ୟମ କରିଥିଲା। କିନ୍ତୁ ସଂଜୀବ ସେତେବେଳେ ବିଚଳିତ ହୋଇଯାଇଥିଲା। ସେ ପୁଲିସ ନିକଟରେ ଆତ୍ମସମର୍ପଣ କରିବା ବଦଳରେ ଗୁଳି ଚଳାଇଥିଲା। ଜବାବରେ ପୁଲିସ ପାଲଟା ଗୁଳି କରିଥିଲା। ଗୋଟିଏ ଗୁଳି ସଞ୍ଜୀବ କରାଳିର ଗୋଡ଼ରେ ବାଜିଥିଲା।
ଆହତ ସଞ୍ଜୀବ କରାଳିକୁ ପ୍ରଥମେ ରେଙ୍ଗାଲି ଡାକ୍ତରଖାନାକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାକୁ ସେଠାରୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
ସଞ୍ଜୀବ ନାଁରେ ବିଭିନ୍ନ ଥାନାରେ ଚୋରି, ଡକାୟତି ଓ ଠକେଇ ଭଳି ପ୍ରାୟ ୨୩ଟି ମାମଲା ରହିଛି। ଗତ ମାସ ୨୨ ତାରିଖରେ ଚାରମାଳ ଥାନା ଅନ୍ତର୍ଗତ ଏକ ଗ୍ରୀଡ୍ କନ୍ଷ୍ଟ୍ରକ୍ସନ ସାଇଟ୍ରେ ଡକାୟତି ଘଟଣାରେ ପୁଲିସ ସଞ୍ଜୀବ କରାଳିକୁ ଖୋଜୁଥିଲା। ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ସଞ୍ଜୀବ ଫେରାର ଥିଲା।
Powered by Froala Editor