ଜୁଲାଇ ୩୦ରୁ ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା
ଜୁଲାଇ ୩୦ରୁ ରାଜ୍ୟରେ ହେବ ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା । ଅଗଷ୍ଟ ୫ ତାରିଖ ଯାଏ ଚାଲିବ ପରୀକ୍ଷା । ଜୁଲାଇ ୩୦ରେ ପ୍ରଥମ ଭାଷା ଓଡ଼ିଆ, ବଙ୍ଗଳା, ଊର୍ଦ୍ଦୁ, ତେଲଗୁ ପରୀକ୍ଷା ହେବ । ଜୁଲାଇ ୩୧ରେ ଦ୍ୱିତୀୟ ଭାଷା ଇଂରାଜୀ, ହିନ୍ଦୀ ପରୀକ୍ଷା ହେବ । ୨ ଅଗଷ୍ଟରେ ଗଣିତ ପରୀକ୍ଷା ହେବ । ୩ ଅଗଷ୍ଟରେ ବିଜ୍ଞାନ ଓ ୪ଅଗଷ୍ଟରେ ସାମାଜିକ ବିଜ୍ଞାନ ପରୀକ୍ଷା କରାଯିବ । ୫ ଅଗଷ୍ଟରେ ତୃତୀୟ ଭାଷା ହିନ୍ଦୀ, ସଂସ୍କୃତ, ପାର୍ଶି ପରୀକ୍ଷା ହେବ । ତେବେ ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୨ଟା ଯାଏ ଚାଲିବ। କେବଳ ଗଣିତ ପରୀକ୍ଷା ୧୨ଟା ୧୫ରେ ସରିବ । ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।
ଶିକ୍ଷାବର୍ଷ ୨୦୨୦-୨୧ରେ ୧୦ମ ପଢିଥିବା ଅସନ୍ତୁଷ୍ଟ ମାଟ୍ରିକ ଛାତ୍ରଛାତ୍ରୀ ଅଫଲାଇନ୍ରେ ପରୀକ୍ଷା ଦେଇପାରିବେ । ମାଟ୍ରିକ ପରୀକ୍ଷା ପାଇଁ ଆସନ୍ତା ୫ ତାରିଖ ଠାରୁ ୧୪ ତାରିଖ ଯାଏଁ ଫର୍ମ ପୂରଣ ହେବ । ତେବେ ମାଟ୍ରିକ ପରୀକ୍ଷାରେ ପିଲାମାନେ କୋଭିଡ-୧୯ ଗାଇଡଲାଇନକୁ ପାଳନ କରିବେ ।
ସୂଚନାଯୋଗ୍ୟ, କରୋନା ଭାଇରସ ସଂକ୍ରମଣ ଯୋଗୁଁ ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାର ଆୟୋଜନ କରାଯାଇପାରିନଥିଲା । ଫଳରେ ପିଲାଙ୍କର ଫଳାଫଳ ବାହାର କରିବା ପାଇଁ ରାଜ୍ୟ ସରକାର ବିକଳ୍ପ ବ୍ୟବସ୍ଥା କରିଥିଲେ । କିନ୍ତୁ ଫଳାଫଳ ନେଇ ଅନେକ ସ୍ଥାନରେ ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରୀକ୍ଷା ଫଳାଫଳ ନିର୍ଣ୍ଣୟ କରିବା ପାଇଁ ବୋର୍ଡ ପକ୍ଷରୁ ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥା ଅବଲମ୍ବନ କରାଯାଇଥିଲା।
Powered by Froala Editor