ଭୀମସାର୍ରୁ ଅପହୃତ ନବଜାତ ରେଙ୍ଗାଲିରୁ ଉଦ୍ଧାର

ଭୀମସାର ମେଡିକାଲ ପରିସରରୁ ଚୋରି ହୋଇଥିବା ଶିଶୁପୁତ୍ର ୪୮ ଘଣ୍ଟା ପରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛି । ଶିଶୁର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବାବେଳେ ଅଧିକ ଚିକିତ୍ସା ପାଇଁ ତାକୁ ୭୨ ଘଣ୍ଟା ଅବଜରଭେସନରେ ରଖାଯିବ ବୋଲି ଡାକ୍ତର କହିଛନ୍ତି। ଏଥିପାଇଁ ତାକୁ ଭୀମସାରର SNCUରେ ଭର୍ତ୍ତି କରାଯାଇଛି। ଘଟଣାରେ ସଂପୃକ୍ତ ମହିଳା ଓ ତାଙ୍କ ସ୍ୱାମୀଙ୍କୁ ପୁଲିସ ଅଟକ ରଖିଛି। ତେବେ କେଉଁ ଉଦ୍ଦେଶ୍ୟରେ ସେମାନେ ଶିଶୁପୁତ୍ରକୁ ଚୋରି କରିଥିଲେ, ତାହା ସ୍ପଷ୍ଟ ହୋଇ ନାହିଁ।
ଗତ ନଭେମ୍ବର ୨୬ରେ ବୁର୍ଲା ଭୀମସାରରୁ ୩ ଦିନର ନବଜାତ ଶିଶୁକୁ ଚୋରି କରି ନିଆଯାଇଥିବା ଅଭିଯୋଗ ହୋଇଥିଲା । ଛତିଶଗଡରୁ ଆସି ଭୀମସାର ମହିଳା ଓ ଶିଶୁ ୱାର୍ଡରେ ଭର୍ତ୍ତି ହୋଇଥିଲେ ମହିଳା । ରବିବାର ଦିନ ତାଙ୍କର ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ତେବେ ଭଉଣୀଙ୍କ ସହ ସମ୍ପର୍କ ବଢାଇ ଜଣେ ମହିଳା ତାଙ୍କ ନିକଟରୁ ବାରମ୍ବାର ଆସୁଥିଲେ । ସେହି ମହିଳା ହିଁ ତାଙ୍କ ଶିଶୁ ପୁତ୍ରକୁ ଚୋରି କରି ନେଇଥିବା ଶିଶୁର ମାଆ ଅଭିଯୋଗ କରିଥିଲେ । ଘଟଣାସ୍ଥଳରେ ଭୀମସାର ଅଧିକାରୀ ଓ ପୋଲିସ ପହଞ୍ଚି ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଥିଲେ । ସିସିଟିଭିରେ ମହିଳାଙ୍କୁ ଚିହ୍ନଟ କରିଥିଲେ ଶିଶୁର ମାଆ ।
ଯାଂଚ ପରେ ଶେଷରେ ରେଙ୍ଗାଲି ଗଣେଶ ନଗର ଅଂଚଳରୁ ଛୁଆଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ପୁଲିସର ଏକ ସ୍ପେଶାଲ ଟିମ୍। ସେପଟେ ଶିଶୁର ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଭଲ ରହିଛି ବୋଲି ଡାକ୍ତର କହିଛନ୍ତି। ହେଲେ ନବଜାତ ହୋଇଥିବାରୁ ତାକୁ ୭୨ ଘଣ୍ଟା ନିରୀକ୍ଷଣ ପ୍ରକ୍ରିୟାରେ ରଖିବା ପରେ ଡିସଚାର୍ଜ କରାଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି।
Powered by Froala Editor