ଫସର ଫାଟିଲା ବାଘ ଛାଲ ବିକ୍ରି ଡିଲ୍
ବନବିଭାଗ ଯେତେ ସଚେତନ ସତର୍କ ହେଲେ ବି ଶିକାରୀ ଶିକାର କରିବାକୁ ନୂଆ ତରିକା ବାଛୁଛନ୍ତି । ଫଳରେ ବନିବିଭାଗ ଚିନ୍ତା ବଢୁଛି । ନିକଟରେ ଦୁଇ ଶିକାରୀଙ୍କୁ ଗିରଫ କରାଯାଇଥିଲା । ସେମାନେ ଏକ କଲରାପତରିଆ ବାଘକୁ ମାରି ଛାଲ ବିକ୍ରି କରିବା ସହ ମାଂସ ଖାଇବାକୁ କାଟିଥିଲେ । ଯାହାକୁ ନେଇ ରାଜ୍ୟରେ ହଇଚି ସୃଷ୍ଟି ହୋଇଥିଲା । ସେହିଭଳି ରବିବାର ନବରଙ୍ଗପୁରରେ ଏକ ଶିକାରୀ ଗ୍ୟାଙ୍ଗ ଧରାପଡିଛନ୍ତି । ବନ ବିଭାଗ ଓ ପୁଲିସ ମିଳିତ ଭାବେ ଚଢ଼ଉ କରି ଏକ କଲରାପତରିଆ ବାଘ ଛାଲ ଜବତ କରିଛି । ରାଇଘର ବ୍ଲକ୍ ଛେଳିଡଙ୍ଗରି ପଞ୍ଚାୟତ ପଣ୍ଡ୍ରିପଖାନା ଗାଁ ନିକଟରୁ ଏହି ଛାଲ ଜବତ ହୋଇଛି । ଏହି ଛାଲଟି ୭ ଫୁଟ୍ ଲମ୍ବ ।
ବନବିଭାଗ ସୂଚନା ଅନୁଯାୟୀ, ରାଇଘର ଅଞ୍ଚଳରୁ ଛତିଶଗଡ଼କୁ ବାଘ ଛାଲ ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । ଏହାପରେ ପୁଲିସ କର୍ମଚାରୀ, ଫରେଷ୍ଟର ଆକୁଳ ବୈରାଗୀ, ବନ୍ୟଜନ୍ତୁ ସୁରକ୍ଷା ବାହିନୀର ଏକ ଟିମ୍ ପଣ୍ଡ୍ରିପଖାନା ଗାଁ ନିକଟରେ ଛକି ରହିଥିଲେ । ସେହି ସମୟରେ ଅଭିଯୁକ୍ତମାନେ ଏକ ବାଇକ୍ରେ ଯାଉଥିବା ବେଳେ ଅଧିକାରୀମାନେ ସେମାନଙ୍କୁ ଅଟକାଇଥିଲେ । ଯାଞ୍ଚ୍ ପରେ ସେମାନଙ୍କଠାରୁ ବସ୍ତା ଭିତରେ ଥିବା ୭ ଫୁଟ୍ର ଏକ ବାଘଛାଲ ଜବତ କରାଯାଇଥିଲା । ବାଘଛାଲକୁ ୩ ଲକ୍ଷ ଟଙ୍କାରେ ଛତିଶଗଡ଼ରେ ବିକ୍ରି କରିବାକୁ ଏମାନେ ଯୋଜନା କରିଥିଲେ । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଗଞ୍ଜାପାରା ପଞ୍ଚାୟତ ଉଦୟପୁର ଗାଁର ଚମରା ଗଣ୍ଡ, ପଣ୍ଡରିପକନା ଗାଁର ମଙ୍ଗଳଦାସ ହରିଜନ ଓ ହାତୀବେନା ଗାଁର ଖେଦୁରାମ ହରିଜନ ।
Powered by Froala Editor