ଝିଅ ଘରୁ ଫେରୁଥିଲେ, ଟ୍ରକ୍ ଧକ୍କାରେ ବାପା ଓ ମା’ଙ୍କ ମୃତ୍ୟୁ

ରବିବାର ଅପରାହ୍ନରେ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ ଝାରବେଡା ଛକ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ବାଇକକୁ ଟ୍ରକ୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଦମ୍ପତି ପ୍ରାଣ ହରାଇଛନ୍ତି । ଉଭୟ ଝିଅ ଘରକୁ ଯାଇ ବାଇକ୍ରେ ଫେରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ସେମାନ ହେଲେ ବାରିଆ ଥାନା ଅନ୍ତର୍ଗତ ଭୂଇଁପୁର ଗ୍ରାମର ୭୨ ବର୍ଷୀୟ ବସନ୍ତ ଘଣା ଓ ୫୮ ବର୍ଷୀୟ ଉର୍ମିଳା ଘଣା ।
ମୃତକଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଭଞ୍ଜିକିଆ ନିକଟ ଇଟିଘର ଗ୍ରାମ । ସେମାନେ କେନ୍ଦୁଝର ଝିଅ ଘରକୁ ଯାଇ ଫେରୁଥିଲେ । ଝାରବେଡା ଛକ ନିକଟରେ ପଛପଟୁ ଆସୁଥିବା ଏକ ୧୨ ଚକିଆ ଟ୍ରକ୍ ତାଙ୍କ ବାଇକ୍କୁ ଧକ୍କା ଦେଇଥିଲା । ଫଳରେ ଉଭୟ ରାଜପଥ ଉପରେ ଛିଟିକି ପଡିଥିଲେ । ଘଟଣାସ୍ଥଳରେ ହିଁ ସ୍ତ୍ରୀ ଉର୍ମିଳା ପ୍ରାଣ ହରାଇଥିଲେ । ଖିରେଇଟାଙ୍ଗିରୀ ଟୋଲଗେଟ୍ ଆମ୍ବୁଲାନ୍ସ ଯୋଗେ ବସନ୍ତ ଘଣାକୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଥିଲା । ସଙ୍କଟାପନ୍ନ ହେବାରୁ ସେଠାରୁ କଟକ ସ୍ଥାନାନ୍ତର କରାଯାଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ।
ଦୁର୍ଘଟଣା ପରେ ଦୁର୍ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ମୃତ ମହିଳାଙ୍କ ଶବ ରଖି ଦୀର୍ଘ ୩ ଘଣ୍ଟା ଧରି ରାଜପଥରେ ହୋହାଲ୍ଲା କରିଥିଲେ ଉତ୍ତ୍ୟକ୍ତ ଲୋକେ । ବାରମ୍ବାର ଏହି ସ୍ଥାନରେ ଦୁର୍ଘଟଣା ଘଟୁଥିବାରୁ ହମ୍ପସ ନିର୍ମାଣ ସହ ରେଡିୟମ୍ ଲଗାଇବାକୁ ଦାବି ଉଠିଥିଲା । ଦୀର୍ଘଦିନ ହେବ ଅଚଳ ପଡିଥିବା ଷ୍ଟ୍ରିଟ୍ ଲାଇଟ୍ ଗୁଡିକୁ ତୁରନ୍ତ ମରାମତି ପାଇଁ ଦାବି କରାଯାଇଥିଲା । ତେବେ ସ୍ଥାନୀୟ ପୁଲିସ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଅନ୍ୟ ପ୍ରଶାସନିକ ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଏହାପରେ ରାସ୍ତା ଅବରୋଧ ହଟିଥିବା ଜଣାପଡିଛି ।
Powered by Froala Editor