ଆଇଜି ପାର୍କକୁ ପୁନେରୁ ଆସିଲେ ୨ କଲରାପତରିଆ
ଆର୍ଏସ୍ପିର ଇନ୍ଦିରା ଗାନ୍ଧୀ ପାର୍କ ପ୍ରାଣୀ ଉଦ୍ୟାନକୁ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ କଲରାପତରିଆ ବାଘ ଆସିଛନ୍ତି। ଅଣ୍ଡିରା କଲରାପତରିଆ ବାଘ (୮ ବର୍ଷ) ଥିବାବେଳେ ଅନ୍ୟଟି ମାଈ(୭ ବର୍ଷ)। ଉଭୟଙ୍କୁ ପୁନେ ରାଜୀବ ଗାନ୍ଧି ପ୍ରାଣୀ ଉଦ୍ୟାନ ଓ ବନ୍ୟଜନ୍ତୁ ଗବେଷଣା କେନ୍ଦ୍ରରୁ ଅଣାଯାଇଛି। ସଂପ୍ରତି ଉଭୟ ବାଘ ସଙ୍ଗରୋଧରେ ଥିବାବେଳେ ୨୧ ଦିନପରେ ଜନସାଧାରଣଙ୍କ ପାଇଁ ଉନ୍ମୁକ୍ତ କରାଯିବ। ଆର୍ଏସ୍ପି ପକ୍ଷରୁ ୪ଟି ସ୍ବତନ୍ତ୍ର ପ୍ରଜାତିର ୪ ଶିଙ୍ଗ ବିଶିଷ୍ଟ ହରିଣ ବଦଳରେ ଏହି ଦୁଇ ବାଘକୁ ଅଣାଯାଇଛି।
ଗତ ୨୧ତାରିଖରେ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ ପ୍ରାଧିକରଣର ଅନୁମୋଦନ କ୍ରମେ ମହାରାଷ୍ଟ୍ର ପୁଣେର ରାଜୀବ ଗାନ୍ଧୀ ପ୍ରାଣୀ ଉଦ୍ୟାନରୁ ଉକ୍ତ ବାଘଙ୍କୁ ଶୁକ୍ରବାର ଏଠାକୁ ଅଣାଯାଇଛି।
୧୭ଶହ କିମିରୁ ଅଧିକ ଯାତ୍ରା ସମୟରେ କଲରାପତରିଆ ବାଘଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏକ ସ୍ବତନ୍ତ୍ର ଟ୍ରକରେ ସେମାନଙ୍କୁ ପରିବହନ କରାଯାଇଥିଲା। ଉଦ୍ୟାନ କୃଷି ବିଭାଗର ଡିଜିଏମ୍ ତଥା ପ୍ରାଣୀ ଉଦ୍ୟାନ ବିକାଶ କାର୍ଯ୍ୟକ୍ରମ ଇନ୍ଚାର୍ଜ ଡ. ଅଭିଜିତ ବିଶ୍ୱାସ ଏବଂ ଆଇଜି ପାର୍କ ପ୍ରାଣୀ ଉଦ୍ୟାନ ଦଳଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ ସମ୍ପାଦିତ ହୋଇଥିଲା।
ବର୍ତ୍ତମାନ ଅଲଗା ଅଲଗା ଖୁଆଡ଼ରେ ରହୁଥିବାବେଳେ ଆଗାମୀ ଦିନରେ ଉଭୟଙ୍କୁ ଏକାଠି କରାଯିବ। ପରବର୍ତ୍ତୀ ସମୟରେ ଉଭୟେ ୨ ଏକର ବିଶିଷ୍ଟ ବାଘ ଖୁଆଡ଼ରେ ରହିବେ।
ଅଧିକ ଖାଇବାକୁଦେଲେ ଅସୁସ୍ଥ ହେବାର ଆଶଙ୍କାଥିବାରୁ ପ୍ରାଣୀଚିକିତ୍ସକଙ୍କ ନିର୍ଦ୍ଦେଶାନୁସାରେ ଦିନକୁ କେବଳ ଗୋଟିଏ ଓଳି ଖାଦ୍ୟ ଦିଆଯାଉଛି। ଭୋଜନରେ ପ୍ରତ୍ୟେକ ବାଘ ୪ କେଜି ଲେଖାଏ କୁକୁଡ଼ା ମାଂସ ଖାଉଛନ୍ତି। ବର୍ତ୍ତମାନ ରାଉରକେଲା ଇନ୍ଦିରା ଗାନ୍ଧୀ ପ୍ରାଣୀ ଉଦ୍ୟାନରେ ୨୫୧ଟି ଜୀବଜନ୍ତୁ ରହିଛନ୍ତି।
Powered by Froala Editor