ବଲାଙ୍ଗିର ଶିଶୁକନ୍ୟା ବିକ୍ରି ଘଟଣା: ଉପମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦେଶ
ଭୁବନେଶ୍ବର : ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ କରୁଆଁଝର ପଞ୍ଚାୟତ ଅନ୍ତର୍ଗତ ସାନଗୁର୍ଜିଭଟା ଗ୍ରାମର ଏକ ନବଜାତ ଶିଶୁକନ୍ୟାକୁ ବିକ୍ରି କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ପାଟଣାଗଡ଼଼ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସାନଗୁର୍ଜିଭଟା ଗାଁକୁ ଯାଇ ଶିଶୁ କନ୍ୟାର ପରିବାର ଲୋକଙ୍କୁ ଭେଟିଛନ୍ତି। ଶିଶୁ କନ୍ୟାର ମା’ ଅରୁଣାବତୀ ନାଗଙ୍କୁ କନ୍ୟା ବିକ୍ରି ଘଟଣା ବିଷୟରେ ପଚାରିଥିଲେ। ମା’ ଅରୁଣାବତୀ କହିଥିଲେ ଯେ, ମୋର ୫ଟି ସନ୍ତାନ। ତେଣୁ ଏହି ଶିଶୁ କନ୍ୟାର ଲାଳନ ପାଳନ ପାଇଁ ସୁନାମୁଦି ସ୍ୱାସ୍ଥ୍ୟ ଉପକେନ୍ଦ୍ରର ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଜରିଆରେ ଆମର ଜଣେ ସମ୍ପର୍କୀୟଙ୍କୁ ଦେଇଛୁ ବୋଲି କହିଥିଲେ। ଶିଶୁ କନ୍ୟାର ମା’ ବାରମ୍ବାର ବୟାନ ବଦଳାଉଥିବାରୁ ଉପମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ନେଇ ୧୬୧ ବୟାନ ରେକର୍ଡ କରିବା ସହିତ ଦୋଷୀକୁ ଧରିବା ପାଇଁ ଉପସ୍ଥିତ ପ୍ରଶାସନିକ ଓ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ପାଟଣାଗଡ଼଼ ଉପଜିଲାପାଳଙ୍କ ନେତୃତ୍ୱରେ ଗଠିତ କମିଟି ଏହି ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ, ଚଳିତ ମାସ ୨ ତାରିଖରେ ଗ୍ରାମର ଆଶାକର୍ମୀଙ୍କ ଉପସ୍ଥିତିରେ ସୁନାମୁଦି ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ମହିଳାଙ୍କର ପ୍ରସବ କରାଯାଇଥିଲା। ମହିଳା ଓ ନବଜାତ ଶିଶୁ କନ୍ୟା ସୁସ୍ଥ ଥିବାରୁ ଉଭୟଙ୍କୁ ଆଶାକର୍ମୀ ତାଙ୍କ ଘରକୁ ଆଣି ଅପରାହ୍ନରେ ଛାଡ଼ିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଘରେ ଶିଶୁ କନ୍ୟା ନଥିବା ଦେଖି ଆଶା କର୍ମୀ ଜଣଙ୍କ ଶିଶୁ କନ୍ୟା କୁଆଡ଼େ ଗଲା ବୋଲି ପଚାରିବାରୁ ଅରୁଣାବତୀ ଶିଶୁକୁ ସମ୍ପର୍କୀୟଙ୍କୁ ପ୍ରତିପୋଷଣ ପାଇଁ ଦେଇଦେଇଛି ବୋଲି କହିଥିଲେ।
Powered by Froala Editor