୨ ଘଣ୍ଟା ହାର୍ଟ ବିଟ୍ ବନ୍ଦ, ତାପରେ ହେଲା ଚମତ୍କାର
୨ ଘଣ୍ଟା ପାଇଁ ବନ୍ଦ ହୋଇଯାଇଥିଲା ହାର୍ଟ ବିଟ୍ । ହେଲେ ହଠାତ୍ ଉଠିଲେ ଯୁବକ । ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ଦେଖିବାକୁ ମିଳିଛି ଏହି ଚମତ୍କାରିତା । ଏମ୍ସ ଡାକ୍ତଙ୍କୁ ମିଳିଛି ଏ ଐତିହାସିକ ସଫଳତା। ଚିକିତ୍ସା ବିଜ୍ଞାନର ଅଗ୍ରଗତି ଯୋଗୁଁ ଯୁବକ ଜଣକ ନୂଆ ଜୀବନ ପାଇଛନ୍ତି । ଉକ୍ତ ଯୁବକ ହେଉଛନ୍ତି ନୟାଗଡ଼ ଜିଲ୍ଲା ଓଡ଼ପଲା ଗାଁର ୨୪ ବର୍ଷ ବୟସ୍କ ଶୁଭକାନ୍ତ ସାହୁ ।
ଡାକ୍ତରୀ ଟିମ୍ ଉନ୍ନତ ଏକ୍ସଟ୍ରାକୋରୋରାଲ୍ କାର୍ଡିଓ-ପଲ୍ମୋନାରୀ ରିସ୍ୟୁସିଟେସନ୍ (eCPR) ପ୍ରଣାଳୀ ମାଧ୍ୟମରେ ଯୁବକଙ୍କ ଜୀବନ ରକ୍ଷା କରି ଏକ ଚମତ୍କାର ସଫଳତା ହାସଲ କରିଛନ୍ତି।ଏହି eCPR ପ୍ରଣାଳୀ ଯୁବକଙ୍କ ଜୀବନକୁ ନିଶ୍ଚିତ ମୃତ୍ୟୁମୁଖରୁ ଫେରାଇ ଆଣିଛି। ଏପରିକି ତାଙ୍କ ହୃଦୟ ପ୍ରାୟ ୨ ଘଣ୍ଟା ଧରି ବନ୍ଦ ହେବା ପରେ ମଧ୍ୟ ସେ ନୂଆ ଜୀବନ ପାଇଛନ୍ତି।
ଖବର ଅନୁସାରେ, ଶୁଭକାନ୍ତ ପେଶାରେ ଜଣେ ଯବାନ । ଗତ 30 ତାରିଖରେ ସେ ଘରକୁ ଆସିଥିବା ବେଳେ ସେ ଅସୁସ୍ଥ ଅନୁଭବ କରିଥିଲେ । ଏହାପରେ ପରିବାର ଲୋକେ ତାଙ୍କୁ ପ୍ରଥମେ ରଣପୁର ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ପରେ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ସେଠାରେ ତାଙ୍କର ହାର୍ଟ ରେଟ୍ କମିବା ସହିତ ଅନେକ ସମସ୍ଯା ମଧ୍ୟ ଦେଖାଯାଇଥିଲା । ତେବେ ଡାକ୍ତର ହାର୍ଟବିଟ୍ ବଢାଇବା ପାଇଁ ପ୍ରାଣପଣେ ଚେଷ୍ଟା କରିଥିବା ବେଳେ ହଠାତ୍ ଶୁଭକାନ୍ତଙ୍କୁ କାର୍ଡିଆକ୍ ଆରେଷ୍ଟ ହୋଇଥିଲା । ଫଳରେ ହାର୍ଟବିଟ୍ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଥିଲା । ଦୀର୍ଘ 2 ଘଣ୍ଟା ପରେ ହୃଦସ୍ପନ୍ଦନ ଆସିଥିଲା । ତେବେ ବର୍ତ୍ତମାନ ସେ ସୁସ୍ଥ ରହିଥିବା ବେଳେ ଖୁବଶୀଘ୍ର ଡିସଚାର୍ଜ ହେବା ନେଇ ମଧ୍ୟ ଜଣାପଡିଛି ।
Powered by Froala Editor