ନନ୍ଦନକାନନରେ ଖୁସିର ମାହୋଲ: ଧଳା ବାଘୁଣୀ ରୂପା ଜନ୍ମ ଦେଲା ୪ ସନ୍ତାନ

‘ନନ୍ଦନକାନନ’ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ବୃଦ୍ଧି ପାଇଛି। ଧଳା ବାଘୁଣୀ ରୂପା ୪ ଶାବକଙ୍କୁ ଜନ୍ମ ଦେଇଛି। ସମସ୍ତ ୪ ଶାବକ ସୁସ୍ଥ ଥିବାବେଳେ ରୂପା ସମସ୍ତଙ୍କ ଯତ୍ନ ନେଉଛି। ଛୁଆଗୁଡ଼ିକ ରୂପା ପାଖରେ ଥିବାରୁ ସେମାନଙ୍କ ଲିଙ୍ଗ ଚିହ୍ନଟ କରାଯାଇପାରିନାହିଁ। ସିସିଟିଭି ମାଧ୍ୟମରେ ବାଘୁଣୀ ରୂପା ଓ ତା’ ଶାବକମାନଙ୍କ ଉପରେ ନଜର ରଖିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ।
ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ତରଫରୁ ଏହି ସୂଚନା ଦିଆଯାଇଛି। ରୂପା ଓ କଳା ବାଘ କୃଷ୍ଣର ମିଳନରୁ ଏହି ୪ ଶାବକ ଜନ୍ମ ହୋଇଛନ୍ତି। ଆଗାମୀ ଦିନରେ ନୂଆ ଅତିଥିମାନଙ୍କର ନାମକରଣ ହେବ। ୬ବର୍ଷ ବୟସର ରୁପା ୨୦୧୮ ସେପ୍ଟେମ୍ବର ୨୨ ତାରିଖରେ ମହାବଳ ବାଘ ‘ରୋଶନ’ ଓ ବାଘୁଣୀ ‘ବିଜୟା’ଙ୍କ ମିଳନରୁ ଜନ୍ମ ନେଇଥିଲା।
ବାଘୁଣୀ ‘ରୁପା’ ତୃତୀୟ ଥର ପାଇଁ ମା’ ହୋଇଛି। ସେ ପ୍ରଥମ ଥର ପାଇଁ ୨୦୨୨ ମାର୍ଚ୍ଚ ୧୧ ତାରିଖରେ ମା’ ହୋଇଥିଲା। ମହାବଳ ବାଘ ‘ରାଜେଶ’ ସହିତ ମିଳନରୁ ୩ ଶାବକ ଜନ୍ମ ଦେଇଥିଲା। ଏଥିରୁ ୨ଟି ଶାବକ ଏକ ମାସ ମଧ୍ୟରେ ମୃତ୍ୟୁ ହୋଇଥିଲା। କିନ୍ତୁ ତୃତୀୟ ଶାବକ ହିମାଂଶୀକୁ ପ୍ରାଣୀ ଅଦଳବଦଳ କ୍ରମେ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିର ଚକଲାସ୍ଥିତ ଭଗବାନ ବିର୍ସା ପ୍ରାଣୀ ଉଦ୍ୟାନକୁ ଚଳିତ ବର୍ଷ ଜୁଲାଇ ୯ ତାରିଖରେ ପଠାଯାଇଥିଲା।
ଏହା ପରେ ୨୦୨୩ ଜାନୁଆରୀ ମାସରେ ୨ଟି ଶାବକଙ୍କୁ ଜନ୍ମ ଦେଇଥିଲା ରୂପା। ବାଘ ରାଜେଶ ସହିତ ମିଳନରୁ ବାଘୁଣୀ ରୂପା ଏହି ଦୁଇ ଶାବକଙ୍କୁ ଜନ୍ମ ଦେଇଥିଲେ। ସେମାନଙ୍କ ନାଁ ଅମୃତା ଓ ଶିବା। ସେମାନେ ଏବେ ନନ୍ଦନକାନନରେ ଅଛନ୍ତି।
Powered by Froala Editor