ଜାନୁଆରୀରେ ତିନିଦିନିଆ ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ଚେତନା ମହୋତ୍ସବ
ଭୁବନେଶ୍ୱର : ଆସନ୍ତା ବର୍ଷ ଜାନୁଆରୀ ୬, ୭ ଓ ୮ ତାରିଖ ତିନିଦିନ ଧରି ଭୁବନେଶ୍ୱରରେ ଆୟୋଜିତ ହେବ ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ଚେତନା ମହୋତ୍ସବ । ଭୁବନେଶ୍ୱରସ୍ଥ ଆଇଏମଏମଟି ସଭାକକ୍ଷରେ ଏହାର ଆୟୋଜନ କରାଯିବ । ଏହି ସମ୍ମିଳନୀରେ ବିଶ୍ୱର ବିଭିନ୍ନ ଦେଶରୁ ପ୍ରାୟ ୫ ଶହରୁ ଅଧିକ ପ୍ରତିନିଧି ଭାଗନେବେ । ସାରା ଭାରତରେ ତଥା ଅନ୍ୟ ଦେଶରେ ଯେଉଁଠାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରାଯାଇଛି, ସେସବୁ ସ୍ଥାନରୁ ପ୍ରତିନିଧିମାନେ ଉପସ୍ଥିତ ରହି ଶ୍ରୀଜଗନ୍ନାଥ ଚେତନା ଓ ସଂସ୍କୃତି ସମ୍ପର୍କରେ ପ୍ରଶିକ୍ଷଣ ନେବେ ।
ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନ ପକ୍ଷରୁ ସୂଚନା ଦେଇ କୁହାଯାଇଛିଯେ, ଜାନୁଆରୀ ୬ ତାରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବ ଅନୁଷ୍ଠିତ ହେବ । ଏଥିନିମନ୍ତେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉପସ୍ଥିତ ରହିବା ପାଇଁ ନିମନ୍ତ୍ରଣ କରାଯାଇଛି । ସେହିପରି ଜାନୁଆରୀ ୭ ତାରିଖ ସଂଧ୍ୟା ୫ଟାରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଛି । ଜାନୁଆରୀ ୮ ତାରିଖ ଦିନ ପ୍ରତିଷ୍ଠାନର ବାର୍ଷିକ ଉତ୍ସବରେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ୍, ରାଜ୍ୟ ଆଇନ୍ ମନ୍ତ୍ରୀ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଉପସ୍ଥିତ ରହିବାକୁ ନିମନ୍ତ୍ରଣ କରାଯାଇଛି । ଏହିଦିନ ଶ୍ରୀଜଗନ୍ନାଥ ଚେତନା ପ୍ରଚାରକ ସମ୍ମାନ, ଶ୍ରୀଜଗନ୍ନାଥ ଗବେଷଣା ସମ୍ମାନ ଓ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ସମ୍ମାନ ପ୍ରଦାନ କରାଯିବ ।
ମହାମହିମ ରାଷ୍ଟ୍ରପତି କାର୍ଯ୍ୟକ୍ରମର ସଫଳତା ପାଇଁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି । ଗଜପତି ମହାରାଜା ଏହି କାର୍ଯ୍ୟକ୍ରମର ମୁଖ୍ୟ ପୃଷ୍ଠପୋଷକ ରହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ପୂଜ୍ୟ ମାଧବାନନ୍ଦଜୀ ସରସ୍ୱତୀ, ପୂଜ୍ୟ ପ୍ରଜ୍ଞାନାନନ୍ଦ ସରସ୍ୱତୀ, ପୂଜ୍ୟ ସଦାନନ୍ଦ ସରସ୍ୱତୀ ତଥା ପୂଜ୍ୟ କେଶବାନନ୍ଦଜୀ ସରସ୍ୱତୀ ତଥା କୃଷ୍ଣପ୍ରେମାନନ୍ଦଜୀ ସରସ୍ୱତୀ ପ୍ରମୁଖ ସାଧୁସନ୍ଥମାନେ ଆଶୀର୍ବଚନ ପ୍ରଦାନ କରିବେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କଳିଙ୍ଗ ହସପିଟାଲର ଅଧ୍ୟକ୍ଷ ଡାକ୍ତର ଶୀତକଣ୍ଠ ଦାସ ଆବାହକ ରହିଛନ୍ତି । ସଚ୍ଚିଦାନନ୍ଦ ଦାସ ବାବାଜୀ, ମହନ୍ତ ରାମକୃଷ୍ଣ ଦାସ, ଡକ୍ଟର ନରେଶ ଚନ୍ଦ୍ର ଦାସ, ଡକ୍ଟର ଅସିତ୍ ମହାନ୍ତି, ପ୍ରଦୀପ୍ତ କୁମାର ସାହୁ, ଡକ୍ଟର କରୁଣାକର ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ଗୋଚ୍ଛିକାର, ରବିନାରାୟଣ ସାମନ୍ତରାୟ, ବାସୁଦେବ ଭଟ୍ଟ ଓ ରାମଚଣ୍ଡୀ ପ୍ରସାଦ ରଣସିଂହ ପ୍ରମୁଖ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି ।
Powered by Froala Editor