୧୨ ରେ ପିପିଲିରେ ପ୍ରଚାର କରିବେ ନବୀନ
ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ଏବେ ରାଜନୈତିକ ପାଣିପାଗ ସରଗରମ ହୋଇଛି । ଜମୁଛି ପ୍ରଚାର ମୈଦାନ । ପିପିଲି ଉପନିର୍ବାଚନ ପାଇଁ ତିନି ଦଳର କସରତ ଆରମ୍ଭ । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୨ ତାରିଖ ଦିନ ପିପିଲିରେ ପ୍ରଚାର କରିବେ । ତେବେ ସେ ନିଜେ ପ୍ରଚାର ମଇଦାନକୁ ନଯାଇ ଭର୍ଚୁ୍ୟଆଲ ଯୋଗେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ ବୋଲି ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ୬ଟି ଜିଲ୍ଲା ପରିଷଦ ଜୋନ ଓ ପିପିଲି ଏନଏସିରେ ନବୀନ ପଟ୍ଟନାୟକ ପ୍ରଚାର କରିବେ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ।
ନବୀନ ପଟ୍ଟନାୟକ ଭର୍ଚୁ୍ୟଆଲ ଯୋଗେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ ବୋଲି ଗତ କିଛି ଦିନ ତଳେ ବିଧାୟକ ଉମା ସାମନ୍ତରାୟ କହିଥିଲେ । ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭର୍ଚୁଆଲ ପ୍ରଚାର କରିବେ । ବିଭିନ୍ନ ଜାଗାରେ ଏଲଇଡି ଲଗାଯିବ ବୋଲି କହିଥିଲେ ।
ପ୍ରକାଶ ଯେ, ପିପିଲି ଉପନିର୍ବାଚନ ପାଇଁ ବିଜେଡି ୩୦ ଜଣିଆ ତାରକା ପ୍ରଚାରକ ତାଲିକା ପ୍ରକାଶ କରିଥିଲା । ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରତାପଙ୍କ ପାଇଁ ଭର୍ଚୁଆଲ ବ୍ୟବସ୍ଥାରେ ପ୍ରଚାର କରିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ନବୀନ ନିଜେ ପ୍ରଚାର ପାଇଁ ପିପିଲି ଯିବେ ବୋଲି ଗତ ୫ ତାରିଖଦିନ ପ୍ରତାପ ଦେବ କହିଥିଲେ ।
ପିପିଲି ଉପନିର୍ବାଚନ ନେଇ ପ୍ରତାପ ଦେବଙ୍କ ଘରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଦଳର ରଣନୀତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ତେବେ ନବୀନ ପଟ୍ଟନାୟକ ପିପିଲି ପ୍ରଚାରରେ ଯିବେ ବୋଲି ବୈଠକ ପରେ ବିଜେଡି ପର୍ଯ୍ୟବେକ୍ଷକପ୍ରତାପ ଦେବ ସୂଚନା ଦେଇଥିଲେ ।