ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ
ପୁରୀ: ଆଶ୍ବିନ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ସୋମବାରଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି କାର୍ତ୍ତିକ ନୀତି। ଏହି ଅବସରରେ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ। ମାସେ କାଳ ଅର୍ଥାତ୍ କାର୍ତ୍ତିକ ମାସ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଏହି ନୀତି ଚାଲିବ।
ସକାଳେ ମଙ୍ଗଳ ଆଳତି, ମଇଲମ, ତଡପଲାଗି ସହ ଅବକାଶ ପରେ ରାଧାଦାମୋଦର ବେଶରେ ସୁସଜ୍ଜିତ ହୋଇଛନ୍ତି ମହାପ୍ରଭୁ। ପରେ ଗୋପାଳ ବଲ୍ଲଭ, ସକାଳ ଧୂପ, ବାଳ ଧୂପ, ଭୋଗ ମଣ୍ତପ ଓ ମଧ୍ୟାହ୍ନ ଧୂପ ହୋଇଥାଏ। କାର୍ତ୍ତିକ ନୀତିରେ ବାଳଧୂପ ଏକ ସ୍ବତନ୍ତ୍ର ଭୋଗ ଥିବାରୁ ଏଥିରେ କୋରା, ଦୋଭଜା, ଲିଆ, ଅଦା, ଖଇ, ନଡିଆ, ଚାଉଳିଆ, ସେଓ, କମଳା, କଦଳୀ, କାକୁଡି, ପଇଡ ଆଦି ଭୋଗ କରାଯାଇଥାଏ।
ଅପରପକ୍ଷେ, ଏକାଦଶୀ ଅବସରରେ ଆଜି ପୁରୀରେ ପୂଜା ପାଉଥିବା ସମସ୍ତ ଗୋଷାଣୀଙ୍କ ଭସାଣ ଉତ୍ସବ ଅନୁଷ୍ଠିତ ହେବ। ଏନେଇ ସନ୍ଧ୍ୟାରେ ସମସ୍ତ ଗୋଷାଣୀ ଓ ନାଗା ଶ୍ରୀମନ୍ଦିର ସମ୍ମୁଖରେ ଏକାଠି ହେବେ। ଏହା ଦେବୀ ସଭା ନାମରେ ପରିଚିତ। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
Powered by Froala Editor