ଜାମିନରେ ଯାଇଥାନ୍ତେ, ଘରକୁ ଯିବା ପୂର୍ବରୁ କଏଦୀର ମୃତ୍ୟୁ
ବରଗଡ଼ ଜିଲ୍ଲା କାରାଗାରରେ ବୁଧବାର ଅଭାବନୀୟ ଘଟଣା ଘଟିଛି । ବେଲ୍ରେ ଯିବା ପୂର୍ବରୁ କାରାଗାରରେ କଏଦୀର ମୃତ୍ୟୁ ଘଟିଛି । ମୃତକ ଅମ୍ବାଭୋନା ବ୍ଲକ୍ ପ୍ରକାଶପୁର ଗାଁର ମନୋଜ ପାଇକ । ୨୪ ବର୍ଷୀୟ ମନୋଜଙ୍କ ଏଭଳି ମୃତ୍ୟୁକୁ ନେଇ ତାଙ୍କ ବାପା ସନ୍ଦେହ ବ୍ୟକ୍ତ କରିଛନ୍ତି । କାରାଗାରରେ ମନୋଜ ଉପରେ ଅତ୍ୟାଚାର କରାଯାଉଥିଲା ବୋଲି ସେ କହିଛନ୍ତି । ପ୍ରାୟ ଦେଢ଼ବର୍ଷ ତଳେ ଏକ ସଡ଼କ ଦୁର୍ଘଟଣାରେ ମନୋଜଙ୍କ ସ୍ତ୍ରୀ ମନୀଷାଙ୍କ ମୃତ୍ୟୁ ହୋଇଯାଇଛି । ଏକମାତ୍ର ଶିଶୁପୁତ୍ର ଅସ୍ମିତ୍ର ଏକାକୀ ଲାଳନପାଳନ କରୁଥିଲେ ମନୋଜ । ତାଙ୍କର ଏଭଳି ମୃତ୍ୟୁରେ ମନୋଜଙ୍କ ମା’ବାପା, ଦୁଇ ଭାଇ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି । ମନୋଜଙ୍କ କୁନି ପୁଅଟି ବାପା, ମା’ଙ୍କୁ ହରାଇ ଅନାଥ ହୋଇପଡିଛି ।
ମନୋଜଙ୍କ ବାପା ପୁଅର ଆକସ୍ମିକ ବିୟୋଗକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ମନୋଜଙ୍କ ଓକିଲ କହିଛନ୍ତି, କୋର୍ଟ ୨୦ ହଜାର ଟଙ୍କା ଅମାନତରେ ମନୋଜଙ୍କ ଜାମିନ ମଞ୍ଜୁର କରିଥିଲେ । ଅପରାହ୍ନରେ ବେଲବଣ୍ଡ୍ ଜମା ଦେଇ ମନୋଜଙ୍କୁ ଜେଲ୍ରୁ ଘରକୁ ନେବା ପାଇଁ ପରିବାର ଲୋକେ ପ୍ରସ୍ତୁତ ହେଉଥିଲେ । ଏହା ପୂର୍ବରୁ ମନୋଜଙ୍କ ମୃତ୍ୟୁ ସନ୍ଦେହ ସୃଷ୍ଟି କରିଛି ।
ସୂଚନା ଅନୁଯାୟୀ, ଅମ୍ବାଭୋନା ପୁଲିସ୍ ଦ୍ୱାରା ବେଆଇନ ମଦ ବିକ୍ରି ଅଭିଯୋଗରେ ଗତ ୬ ତାରିଖ ମନୋଜ ଗିରଫ ହୋଇ କୋର୍ଟଚାଲାଣ ହୋଇଥିଲେ । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବରଗଡ଼ ଜିଲ୍ଲା କାରାଗାରକୁ ପଠାଇ ଦିଆଯାଇଥିଲା । କିନ୍ତୁ ହଠାତ୍ ବୁଧବାର ହାଜତରେ ମନୋଜଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜେଲ ଡାକ୍ତର ପରୀକ୍ଷା କରି ହସ୍ପିଟାଲ ନେବାକୁ ପରାମର୍ଶ ଦେଇଥିଲେ । ତାଙ୍କୁ ଅର୍ବାନ ସିଏଚ୍ସି ହସ୍ପିଟାଲ୍କୁ ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ମନୋଜଙ୍କ ହୃଦ୍ଘାତରେ ମୃତ୍ୟୁ ହୋଇଥାଇପାରେ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି । ଅନ୍ୟପଟେ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ଯେ, ଡାକ୍ତରଖାନାରେ ପହଞ୍ôଚବା ପୂର୍ବରୁ ମନୋଜଙ୍କ ମୃତ୍ୟୁ ହୋଇଯାଇଥିଲା ।
Powered by Froala Editor