କେକ୍ ନମୁନାରେ କର୍କଟ ସୃଷ୍ଟି କରୁଥିବା ଉପାଦାନ
ବେକେରୀ ମାନଙ୍କରେ ପ୍ରସ୍ତୁତ କେକ୍ରେ ବିପଦ ଅଧିକ। ନିକଟରେ କର୍ଣ୍ଣାଟକର ଖାଦ୍ୟ ନିୟାମକ ଦ୍ୱାରା କେକ୍ ନମୁନାରେ କର୍କଟ ସୃଷ୍ଟି କରୁଥିବା ଉପାଦାନ ସବୁ ମିଳିଛି। ଏହାପରେ ରାଜ୍ୟର ଖାଦ୍ୟ ନିରାପତ୍ତା ଏବଂ ଗୁଣବତ୍ତା ବିଭାଗ ସ୍ଥାନୀୟ ବେକେରୀମାନଙ୍କୁ କେକ୍ ବିକ୍ରୟ ବିଷୟରେ ଚେତାବନୀ ଦେଇଛି ଯେଉଁଥିରେ ଅଧିକ ପରିମାଣର କୃତ୍ରିମ ରଙ୍ଗ ବ୍ୟବହାର ଉପରେ କଟକଣା ଲଗାଇଛି।
ଲୋକଙ୍କ ପସନ୍ଦ ଓ ଚାହିଦାକୁ ଦୃଷ୍ଟିରେ ରଖି ବଜାରରେ ଭଳି କି ଭଳି ଫ୍ଳେଭରର କେକ୍ ମିଳେ। ଅଧିକାଂଶ ଲୋକଙ୍କୁ ରେଡ୍ ଭେଲ୍ବେଟ୍ ଓ ବ୍ଳାକ ଫରେଷ୍ଟ କେକ୍ ଭାରି ପସନ୍ଦ। କିନ୍ତୁ ଏହି କେକ୍ ବିପଦ ହୋଇପାରେ ବୋଲି ଚେତାବନୀ ଜାରି କରିଛି କର୍ଣ୍ଣାଟକା ଖାଦ୍ୟ ସୁରକ୍ଷା ବିଭାଗ।
ସ୍ୱାସ୍ଥ୍ୟ ଅଧିକାରୀମାନେ ଯାଞ୍ଚ କରିଥିବା ୨୩୫ ଟି କେକ୍ ନମୁନା ମଧ୍ୟରୁ ୨୨୩ ଟି ବ୍ୟବହାର ପାଇଁ ନିରାପଦ ଥିବାବେଳେ ୧୨ ଟି ନମୁନାରେ କର୍କଟ ସୃଷ୍ଟି କରୁଥିବା ଉପାଦାନ ରହିଥିଲା, ମୁଖ୍ୟତ କୁତ୍ରିମ ଆଲୁରା ରେଡ୍, ସେନସେଟ ୟେଲୋ ଏଫସିଏଫ୍, ପୋନ୍ସିଆଉ ୪ ଆର, ଟାର୍ଟ୍ରାଜାଇନ୍ ଏବଂ କାର୍ମୋଇସିନ୍ ଭଳି କୃତ୍ରିମ ରଙ୍ଗ ରହିଥିଲା। ଏହି ରଙ୍ଗଗୁଡ଼ିକ ନାଲି ଭେଲଭେଟ ଏବଂ ବ୍ଲାକ ଫରେଷ୍ଟ ପରି କେକ୍ରେ ମିଳିଥିଲା। କର୍ଣ୍ଣାଟକା ଖାଦ୍ୟ ସୁରକ୍ଷା ବିଭାଗ ସମସ୍ତ ଲୋକଙ୍କୁ କେକ୍ କିଣିବା ସମୟରେ ସତର୍କ ରହିବାକୁ ପରାମର୍ଶ ଦେଇଛି।
ରାଜ୍ୟର ଖାଦ୍ୟ ନିରାପତ୍ତା ଏବଂ ଗୁଣବତ୍ତା ନିୟାମକ ଏକ ବିବୃତ୍ତିରେ କହିଛି ଯେ କୃତ୍ରିମ ରଙ୍ଗର ଅଧିକ ବ୍ୟବହାର କେବଳ କର୍କଟ ରୋଗର ଆଶଙ୍କା ବଢାଏ ନାହିଁ ବରଂ ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟକୁ ମଧ୍ୟ କ୍ଷତି ପହଞ୍ଚାଇପାରେ।
Powered by Froala Editor