ସିଦ୍ଧିବିନାୟକ ମନ୍ଦିର ପ୍ରସାଦରେ ମୂଷା ଛୁଆ
ମୁମ୍ବାଇର ସିଦ୍ଧି ବିନାୟକ ଗଣପତି ମନ୍ଦିରର ପ୍ରସାଦ ପ୍ୟାକେଟରେ ମୂଷା ଥିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଏକ ନୀଳ ରଙ୍ଗର ଟ୍ରେରେ ଲଡ଼ୁ ଥିବା ଅନେକ ପ୍ୟାକେଟ ରଖାଯାଇଛି। ଉକ୍ତ ଲଡ଼ୁ ପ୍ୟାକେଟଗୁଡ଼ିକ ମଧ୍ୟରେ ମୂଷା ଥିବା ନେଇ ଭିଡିଓରେ ଦେଖିବାକୁ ମିଳିଛି। ଏହାର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।ଏହି ଭିଡିଓ ସାମ୍ନାକୁ ଆସିବା ପରେ ସିଦ୍ଧି ବିନାୟକ ମନ୍ଦିରରେ ମିଳୁଥିବା ପ୍ରସାଦର ସ୍ବଚ୍ଛତାକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି।
ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛି ଶ୍ରୀ ସିଦ୍ଧିବିନାୟକ ଗଣପତି ମନ୍ଦିର ଟ୍ରଷ୍ଟ(ଏସ୍ଏସ୍ଜିଟି)। ଶିବସେନା ନେତା ତଥା ମନ୍ଦିର ଟ୍ରଷ୍ଟର ସଭାପତି ସଦା ସର୍ବଣକର କହିଛନ୍ତି ଯେ ଏହା କେବଳ ଏକ ଭାଇରାଲ ଭିଡିଓ। ଏଥିରେ କୌଣସି ସତ୍ୟତା ନାହିଁ। ପ୍ରତିଦିନ ଲକ୍ଷ ଲକ୍ଷ ଲଡୁ ବଣ୍ଟା ଯାଉଛି। ଭିଡ଼ିଓରେ ଦେଖାଯାଇଥିବା ସ୍ଥାନ ମନ୍ଦିର କମ୍ପ୍ଲେକ୍ସର ଅଂଶ ନୁହେଁ। ଏହା ମନ୍ଦିରର ଭାବମୂର୍ତ୍ତିକୁ ଖରାପ କରିବାକୁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର।
ସିଦ୍ଧି ବିନାୟକ ମନ୍ଦିରରେ ଭକ୍ତମାନଙ୍କୁ ଦିଆଯାଉଥିବା ଲଡ଼ୁରେ ବ୍ୟବହୃତ ଘିଅ, କାଜୁ ଏବଂ ଅନ୍ୟ ସାମଗ୍ରୀ ପ୍ରଥମେ ବ୍ରିହନ୍ ମୁମ୍ବାଇ ମୁନିସିପାଲ୍ କର୍ପୋରେଶନ୍(ବିଏମ୍ସି)ର ଲାବୋରେଟୋରିକୁ ପଠାଯାଇଥାଏ। ସେଠାରୁ ଅନୁମୋଦନ ମିଳିବା ପରେ ହିଁ ସେଗୁଡ଼ିକୁ ବ୍ୟବହାର କରାଯାଇ ଭକ୍ତଙ୍କ ପାଇଁ ଲଡ଼ୁ ପ୍ରସ୍ତୁତ ହୋଇଥାଏ। ସିଦ୍ଧି ବିନାୟକ ମନ୍ଦିରରେ ଭକ୍ତଙ୍କୁ ଦିଆଯାଉଥିବା ପ୍ରସାଦ ସମ୍ପୂର୍ଣ୍ଣ ଶୁଦ୍ଧ ହୋଇଥିବା ସର୍ବଣକର କହିଛନ୍ତି। ଖାଦ୍ୟ ସୁରକ୍ଷା ଅଧିକାରୀ ମନ୍ଦିରକୁ ଯାଇ ଅଡିଟ୍ କରିବେ ବୋଲି ଏଫଏସ୍ଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
Powered by Froala Editor