ଭିଡିଓ ଭାଇରାଲ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର:ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଆଉ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଏହି ମାମଲାରେ ପୀଡ଼ିତାଙ୍କ ଭିଡିଓ ଭାଇରାଲ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭିଡିଓ ଭାଇରାଲ ମାଧ୍ୟମରେ ପୀଡ଼ିତାଙ୍କ ଚରିତ୍ର ସଂହାର କରିବା ପାଇଁ ଚେଷ୍ଟା କରାଯାଇଛି । ପୀଡ଼ିତା ଥାନାକୁ ଆସିବା ପୂର୍ବର ଓ ଥାନା ଭିତର ଭିଡିଓ ଭାଇରାଲ କରିଥିବା ବ୍ୟକ୍ତିଙ୍କୁ ଗିରଫ କରାଯିବ । ଆଇପି ଆଡ୍ରେସ ଖୋଜି ସେମାନଙ୍କୁ ଗିରଫ କରାଯିବ । ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଭରତପୁର ଥାନାରେ ନିର୍ୟାତନା ଅଭିଯୋଗ ଆଣିଥିବା ଯୁବତୀ ତାଙ୍କ ବାପା ଓ ମେଜର ।ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବା ପରେ ଭରତପୁର ଥାନା ଘଟଣାର ପୀଡ଼ିତା ବେଶ୍ ସନ୍ତୁଷ୍ଟ ଅଛନ୍ତି। ମୁଖ୍ୟମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଯାହା ଅନୁରୋଧ କରାଯାଇଥିଲା, ତାକୁ ସରକାର ରଖିଛନ୍ତି। ତେଣୁ ମୋହନ ମାଝୀ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ପ୍ରମାଣିତ କରିଥିବା ସେ କହିଛନ୍ତି। ଏଥିନିମନ୍ତେ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।ଏହି ସମୟରେ ପୀଡ଼ିତାଙ୍କ ବାପା ବି ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି, ଆମ ଅନୁରୋଧ ରଖି ସାକ୍ଷାତ କରିବାକୁ ସମୟ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛୁ।ଏଥିସହ ଯେଉଁମାନେ ଝିଅର ଭିଡିଓ ସୋଶାଲ ମିଡିଆରେ ଛାଡ଼ୁଛନ୍ତି, ସେମାନଙ୍କୁ ଚିହ୍ନଟ କରାଯାଇ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ପୀଡ଼ିତାଙ୍କ ବାପା।
Powered by Froala Editor