ବର୍ଷାରେ ଭାଙ୍ଗିଲା ଏହି ବ୍ରିଜ
ଚିତ୍ରକୋଣ୍ଡା: ଲଗାଣ ବର୍ଷାରେ ଭାଙ୍ଗିଲା ପିଲିଗଡ଼ା ଠାରେ ଥିବା ବ୍ରିଜ । ଓଡ଼ିଶାରୁ ଆନ୍ଧ୍ରକୁ ଯୋଗାଯୋଗ କରୁଥିବା ପିଲିଗଡା ଠାରେ ଥିବା ବ୍ରିଜର ଗୋଟିଏ ପାର୍ଶ୍ଵ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ରବିବାର ରାତିରୁ ବ୍ରିଜ ଉପରେ ତିନି ଫୁଟ ଉଚ୍ଚର ପାଣି ଚାଲିଛି । ପ୍ରବଳ ପାଣିରେ ପ୍ରାୟ ଦୁଇଶହ ମିଟର ରାସ୍ତା ସମ୍ପୂର୍ଣ୍ଣ ରୂପେ ଧୋଇ ଯାଇଛି । ପାର୍ଶ୍ୱରେ ନୂତନ ବ୍ରିଜ ନିର୍ମାଣ କରୁଥିବା ଠିକା ସଂସ୍ତାର ଏକ ଜେସିବି, ରୋଡ଼ ରୋଲର ଭାସି ଯାଇଛି ।
ସୂଚନା ଥାଉକି, ଗତ ଦୁଇଦିନ ଧରି ସାରା ରାଜ୍ୟରେ ଲାଗିରହିଛି ଲଗାଣ ବର୍ଷା । ଲଗାଣ ବର୍ଷ ହେତୁ ବିଭିନ୍ନ ସ୍ଥାନରେ ନଦୀର ଜଳସ୍ତର ବୃଦ୍ଧିପାଇଛି । ଏମିତିକି ବିଭିନ୍ନ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଏଥିରୁ ବାଦ୍ ପଡିନି ମାଲକାନଗିରିର ଚିତ୍ରକୋଣ୍ଡା । ଏଠାକାର ସ୍ଥିତି ସଂଗୀନ ହୋଇପଡିଛି । ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରିରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଏନେଇ ଆଞ୍ଚଳିକ ପାଣିପାଗ ନିଦେ୍ର୍ଧଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।
ତାଙ୍କ ସୂଚନା ଅନୁଯାୟୀ ମାଲକାନଗିରିରେ ୨୫୩ ମିମି ବର୍ଷା ରେକର୍ଡ କରାଯାଇଛି । ଆଗାମୀ ୨୪ ଘଣ୍ଟାରେ ସବୁ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ପାଇଁ ୭ଟି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ରେଡ ଆଲର୍ଟ ଜାରି କରାଯାଇଛି । ସମ୍ପୃକ୍ତ ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, କନ୍ଧମାଳ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ବୌଦ୍ଧ ଓ ବଲାଙ୍ଗୀର । ପୁରୀ ଠାରୁ ୫୦ କିମି ଦୂରରେ ଗଭୀର ଅବପାତ କେନ୍ଦ୍ରୀଭୂତ ହୋଇଛି । ଯାହା ଆଜି ମଧ୍ୟାହ୍ନରେ ପୁରୀ ପାଖାପାଖି ଉପକୂଳ ଅତିକ୍ରମ କରିବ ।
Powered by Froala Editor