ଡେଲ୍ଟା ପ୍ଲସ୍ ଭ୍ୟାରିଆଣ୍ଟ ଘାତକ ନୁହେଁ:ଆଇଏଲଏସ୍ ନିର୍ଦ୍ଦେଶକ ଅଜୟ ପରିଡା
ଭୁବନେଶ୍ଵର: କରୋନାର ଡେଲ୍ଟା ପ୍ଲସ୍ ଭ୍ୟାରିଆଣ୍ଟ ଘାତକ ନୁହେଁ ବୋଲି ଆଇଏଲଏସ୍ ନିର୍ଦ୍ଦେଶକ ଅଜୟ ପରିଡା, କହିଛନ୍ତି । ସେ କହିଛନ୍ତି ଯେ, ଡେଲ୍ଟା ପ୍ଲସ୍ ଭ୍ୟାରିଆଣ୍ଟ ଯଦି ଘାତକ ହୋଇଥାନ୍ତା ତେବେ ଏହା ଦେବଗଡ଼ ଜିଲ୍ଲାରେ ବ୍ୟାପି ସାରନ୍ତାଣି। ଆମକୁ ସତର୍କ ରହିବାକୁ ପଡ଼ିବ। ଯେହେତୁ ଡେଲ୍ଟା ପ୍ଲସ୍ ସଂକ୍ରମିତ ସୁସ୍ଥ ହୋଇ ସାରିଛନ୍ତି କଣ୍ଟାକ୍ଟ ଟ୍ରେସିଂର ଆବଶ୍ୟକତା ନାହିଁ। ଆଇଏଲଏସରେ ଜାନୁଆରୀରୁ ଜିନୋମ ସିକ୍ଵେନ୍ସିଂ କରାଯାଇଥିଲା। ଓଡ଼ିଶା, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ ଭଳି ୪ ରାଜ୍ୟରୁ ୩୮୦୦ ସାମ୍ପୁଲ ଜିନୋମ ସିକ୍ୟୁଏନିସିଂ ପାଇଁ ସଂଗ୍ରହ କରାଯାଇଥିଲା । ସେଥି ମଧ୍ୟରୁ ଓଡ଼ିଶାରୁ ୧୧୦୦ ସାମ୍ପୁଲ ସଂଗ୍ରହ ହୋଇଥିଲା । ଯେଉଁଥିରୁ ମାତ୍ର ଗୋଟିଏ ଡେଲଟା ପ୍ଲସ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସମଗ୍ର ଦେଶରୁ ୪୬ ହଜାର ସାମ୍ପୁଲ ସଂଗ୍ରହ କରାଯାଇ ଥିଲା, ସେଥି ମଧ୍ୟରୁ ୪୮ଟି କେସ ସାମ୍ନାକୁ ଆସିଛି ଯାହା ମାତ୍ର ୦.୦୧ ପ୍ରତିଶତ । ଆଗାମୀ ଦିନରେ ଏହା କେତେ ପ୍ରଭାବ ରଖିବ ତାହା ଉପରେ ରିସର୍ଚ୍ଚ ଚାଲିଛି । ମାତ୍ର ଆମକୁ ସତର୍କ ହୋଇ ରହିବାକୁ ପଡ଼ିବ । ଯଦି ଆମେ ସତର୍କ ନ ରହିବା ତେବେ ଭାଇରସକୁ ଆମେ ଆମନ୍ତ୍ରଣ କରିବା ଭଳି ହେବ ବୋଲି ଆଇଏଲଏସ୍ ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି । ଅନ୍ୟପକ୍ଷରେ ଦେଶରେ ପ୍ରାୟ ୧୧ଟି ରାଜ୍ୟରେ ୪୮ ଡେଲଟା ପ୍ଲସ ମାମଲା ଚିହ୍ନଟ ହୋଇଛନ୍ତି। ୧୮ଟି ଜିଲାରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୨୦ଟି ଡେଲଟା ପ୍ଲସ ମାମଲା ରହିଛି। ସମଗ୍ର ଦେଶ ପାଇଁ ଏହା ଏବେ ଚିନ୍ତାର କାରଣ ପାଲଟିଛି। ବିଶ୍ୱର ପ୍ରାୟ ୧୨ଟି ଦେଶରେ ଏହି ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହୋଇଛନ୍ତି। ଏହି ଭୂତାଣୁରେ ଏଯାଏଁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ମଧ୍ୟପ୍ରଦେଶରେ ୨ ଜଣ ଓ ମହାରାଷ୍ଟ୍ରରେ ଜଣଙ୍କର ମୃତ୍ୟୁ ଘଟିଛି।
Powered by Froala Editor