୧ ଲକ୍ଷ ୨୦ ହଜାର ନୁହେଁ, ପିଏମ୍ ଆବାସ ପାଇଁ ମିଳିବ ୧ ଲକ୍ଷ ୮୦ ହଜାର ଟଙ୍କା
ପିଏମ୍ ଆବାସ୍ ଯୋଜନାରେ ହିତାଧିକାରୀଙ୍କୁ ମିଳୁଥିବା ସହାୟତା ରାଶିର ପରିମାଣ ବୃଦ୍ଧି ପାଇବ। ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାର ବଦଳରେ ୧ ଲକ୍ଷ ୮୦ ହଜାର ଟଙ୍କା ମିଳିବ। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ।
ଅନ୍ତ୍ୟୋଦୟ ଗୃହ ଯୋଜନା ନେଇ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାୟକ ବଡ଼ ସୂଚନା ଦେଇଛନ୍ତି । ବାତ୍ୟା, ବନ୍ୟା କି ହାତୀ ଘର ନଷ୍ଟ କଲେ ଅନ୍ତ୍ୟୋଦୟ ଯୋଜନାରେ ଗୃହ ମିଳିବ। ବିଭିନ୍ନ କାରଣରୁ ଘର ପୋଡ଼ିଯିବା ଲୋକଙ୍କୁ ବି ଅନ୍ତ୍ୟୋଦୟ ଗୃହ ମିଳିବ। ପୂର୍ବରୁ ଏହିସବୁ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ କୌଣସି ଯୋଜନା ନଥିଲା। ସରକାର ନୂଆ ଯୋଜନା ଆଣିଛନ୍ତି, ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ କହିଛନ୍ତି।
ଅନ୍ୟପଟେ ମନ୍ତ୍ରୀ କହିଛନ୍ତି, ଶୌଚାଳୟ ନିର୍ମାଣ ଅନୁଦାନ ବି ବୃଦ୍ଧି କରାଯିବ। ଶୌଚାଳୟ ପାଇଁ ପୂର୍ବରୁ ୧୨ ହଜାର ଟଙ୍କା ଦିଆଯାଉଥିଲା ବର୍ତ୍ତମାନ ତାକୁ ୨୦ ହଜାର ଟଙ୍କା ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଖୁବ ଶୀଘ୍ର ଗାଇଡଲାଇନ ଆସିବ।
Powered by Froala Editor