ଆକାଶ ପାଠକଙ୍କୁ ଜାମିନ
କଟକ: ଟାଟା କମ୍ପାନୀରେ ଚାକିରି କରାଇଦେବା ନାଁରେ ଠକେଇ ମାମଲାରେ ଆକାଶ ପାଠକଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି। ବୈଦେଶ୍ୱରପୁର ଥାନାରେ ଆକାଶ ପାଠକଙ୍କ ବିରୋଧରେ ୬ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ମାମଲାରେ ହାଇକୋର୍ଟର ବିଚାରପତି ଡି. ଦାସଙ୍କ ଇଜିଲାସରେ ଏହାର ଶୁଣାଣି ହୋଇଥିଲା। ଗୁରୁବାର ଅଦାଲତ ମାମଲାର ଶୁଣାଣି ଶେଷ କରି ମାମଲାର ରାୟକୁ ସଂରକ୍ଷିତ ରଖିଥିଲେ । ଆଜି ଏହି ମାମଲାର ଶୁଣାଣି କରି ଆକାଶ ପାଠଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ୨ ଲକ୍ଷ ଟଙ୍କାର ୨ ଜଣ ଜାମିନଦାରଙ୍କ ବଦଳରେ ହାଇକୋର୍ଟ ଜାମିନ୍ ପ୍ରଦାନ କରିଥିଲେ । ତାଙ୍କ ବିରୋଧରେ ଥିବା ସମସ୍ତ ୩ ମାମଲାରେ ଜାମିନ ପାଇବା ପରେ ଜେଲରୁ ମୁକୁଳିଥିଲେ ଅଭୟ ପାଠକ । ଏହି ମାମଲାରେ ଅଭୟକାନ୍ତ ପାଠକ ଓ ଡ. ପ୍ରଦୀପ୍ ପାଣିଗ୍ରାହୀ ଅଭିଯୁକ୍ତ ଥିଲେ । ତେବେ ଉକ୍ତ ମାମଲାରେ ଶ୍ରୀ ପାଣିଗ୍ରାହୀଙ୍କୁ ଜୁନ୍ ୧୦ ତାରିଖରେ ଜାମିନ ମିଳିସାରିଥିବା ବେଳେ ଅଭୟକାନ୍ତ ପାଠକଙ୍କୁ ଜୁନ୍ ୧୭ ତାରିଖରେ ଜାମିନ ମିଳିସାରିଛି । ଆକାଶ ପାଠକଙ୍କ ବିରୋଧରେ ଲୋକମାନଙ୍କୁ ଠକି ଥିବାର ସଙ୍ଗୀନ୍ ଅଭିଯୋଗ ରହିଥିବାରୁ ଏହାର ଆହୁରି ତଦନ୍ତର ଆବଶ୍ୟକତା ରହିଛି ବୋଲି ପୂର୍ବରୁ ହାଇକୋର୍ଟ କହିଥିଲେ । ନିଜର ବ୍ୟକ୍ତିଗତ ସ୍ୱାର୍ଥ ନିମନ୍ତେ ସେ ସାଧାରଣ ଲୋକଙ୍କ ଅର୍ଥକୁ ଲୁଟ୍ କରିଥିବାର ଖଣ୍ଡପୀଠ ଦର୍ଶାଇଥିଲେ । ଆକାଶ ପାଠକଙ୍କ ବିରୋଧରେ ଆଇପିସିର ୪୧୯/୪୨୦/୪୬୭/ ୪୬୮/୪୭୧ ଓ ୬୬-ସି/୬୬ଡି ଆଇଟି ଆକ୍ଟ୍ରେ କୋର୍ଟରେ ଅଭିଯୋଗଫର୍ଦ୍ଦ ଦାଖଲ ହୋଇଥିଲା। ଏହି ମାମଲା ଭୁବନେଶ୍ୱର ଏସ୍ଡିଜେଏମ୍ ଅଦାଲତରେ ବିଚାରଧିନ ରହିଥିବା ବେଳେ ସେଠାରେ ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ ।
Powered by Froala Editor